ଅତ୍ୟାଧୁନିକ ଚିକିତ୍ସା, ସେବା ଓ ବିଶେଷଜ୍ଞ ଚିକିତ୍ସକଙ୍କ ଦକ୍ଷତା ବଳରେ ମହିଳାଙ୍କ ଜୀବନ ରକ୍ଷା କଲେ ଆଇଏମ୍‌‌ଏସ୍‌‌ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ଡାକ୍ତରୀ ଟିମ୍‌

ଭୁବନେଶ୍ୱର, ଅଗଷ୍ଟ ୨୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ‌-୨, ଫୁଲନଖରାର ଏକ ବହୁବିଭାଗୀୟ ଚିକିତ୍ସକ ଦଳ ଜଣେ ଗୁରୁତର ଭାବେ ଅସୁସ୍ଥ ଥିବା ମହିଳାଙ୍କର ଏକ ବିରଳ ତଥା ଜୀବନ ପ୍ରତି ବିପଦଜନକ ମାମଲାକୁ ସଫଳତାର ସହ ଚିହ୍ନଟ ଓ ଚିକିତ୍ସା କରି ତାଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି । ସଂପୃକ୍ତ ମହିଳାଙ୍କର ଜୀବନ ପ୍ରତି ବିପଦ ଥିବା ବେଳେ ସେ ପ୍ରସବ ପରବର୍ତୀ ବିଳମ୍ବିତ ରକ୍ତସ୍ରାବ ଯାହାକୁ କି ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍‌‌ ସମସ୍ୟାରେ ପୀଡ଼ିତ ଥିବାର ଜଣାପଡ଼ିଥିଲା । ସିଜରିଆନ୍ ପ୍ରକ୍ରିୟାରେ ପ୍ରସବର ତିନି ଦିନ ପରେ ମହିଳା ଜଣଙ୍କ ପରିସ୍ରାଦ୍ୱାରରେ ଅତ୍ୟଧିକ ଯନ୍ତ୍ରଣା ଓ ରକ୍ତସ୍ରାବର ସମସ୍ୟା ନେଇ ହସ୍ପିଟାଲରେ ପହଂଚିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ଶାରୀରିକ ସ୍ଥିତି ଅସ୍ଥିର ହୋଇପଡ଼ିଥିବାରୁ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥିଲା । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ସ୍ଥିର କରାଯାଇଥିଲା। ତାଙ୍କୁ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶୁଭଙ୍କର, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଭିଜିତ୍ ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ହାପି ପାତ୍ରଙ୍କ ନେତୃତ୍ୱରେ ଚିକିତ୍ସକମାନେ ମିଳିତ ଭାବେ ଚିକିତ୍ସା କରିବା ସହ ତାଙ୍କର ଜଟିଳ ପରିସ୍ଥିତିର ନିୟନ୍ତ୍ରଣ କରିଥିଲେ । ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍‌‌ ଏକ ବିରଳ ଓ ଗୁରୁତର ରକ୍ତନାଳୀଜନିତ ସମସ୍ୟା। ଏଥିରେ ଜରାୟୁ ଧମନୀର ପ୍ରାଚୀରରେ କ୍ଷତ ସୃଷ୍ଟି ହେବା ଫଳରେ ରକ୍ତ ଆଖପାଖର ଟିସ୍ୟୁରେ ଲିକ୍‌‌ ହୋଇଥାଏ, ଯାହା ଗୁରୁତର ଓ ଜୀବନ ପ୍ରତି ବିପଦଜନକ ରକ୍ତସ୍ରାବର କାରଣ ହୋଇପାରେ ।
ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ରୋଗ ନିରୂପଣ ସୁବିଧା ଓ ବିଶେଷଜ୍ଞ ଚିକିତ୍ସା ସେବା ଯୋଗୁଁ ରକ୍ତସ୍ରାବର ମୂଳ କାରଣକୁ ଶୀଘ୍ର ଚିହ୍ନଟ କରାଯାଇପାରିଥିଲା। ସିଟି ଆଞ୍ଜିଓଗ୍ରାଫି ପରୀକ୍ଷାରେ ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍‌‌ ହିଁ ରକ୍ତସ୍ରାବର କାରଣ ବୋଲି ନିଶ୍ଚିତ ହୋଇଥିଲା। ସେହିପରି ଡାକ୍ତର ଶ୍ରୀକାନ୍ତ ସୁନ୍ଦରାଙ୍କ ନେତୃତ୍ୱରେ ଇଂଟରଭେନସନାଲ୍ ରେଡିଓଲୋଜି ବିଭାଗର ଏକ ଟିମ୍ ତୁରନ୍ତ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ ପ୍ରକ୍ରିୟା ସଫଳତାର ସହ ସଂପାଦନ କରିଥିଲେ । ଏହି ଅତ୍ୟାଧୁନିକ ଓ ଅଳ୍ପ ଆକ୍ରମଣାତ୍ମକ ପ୍ରକ୍ରିୟା ମାଧ୍ୟମରେ ରକ୍ତସ୍ରାବକୁ ସଫଳତାର ସହ ନିୟନ୍ତ୍ରଣ କରାଯିବା ସହ ବଡ଼ ଧରଣର ଅସ୍ତ୍ରୋପଚାରର ଆବଶ୍ୟକତାକୁ ଏଡ଼ାଯାଇପାରିଥିଲା । ଚିକିତ୍ସା ପରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିଲା ଏବଂ କୌଣସି ଜଟିଳତା ବିନା ସେ ସୁସ୍ଥ ହୋଇଥିଲେ । ପ୍ରାୟ ଏକ ସପ୍ତାହ ମଧ୍ୟରେ ସେ ସୁସ୍ଥ ଓ ସ୍ଥିର ଅବସ୍ଥାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ଏହି ସଫଳ ଚିକିତ୍ସା ଦୁର୍ଲଭ ତଥା ଜୀବନ ପ୍ରତି ବିପଦଜନକ ପ୍ରସୂତିଜନିତ ଜରୁରୀକାଳୀନ ସ୍ଥିତିର ପରିଚାଳନାରେ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି, ସମୟୋପଯୋଗୀ ରୋଗ ନିରୂପଣ ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ସୁସମନ୍ୱିତ ଟିମ୍‌‌ୱର୍କ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ପୁଣିଥରେ ପ୍ରମାଣିତ କରିଛି ।

Spread the love

Leave a Reply

Your email address will not be published. Required fields are marked *