ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଅମଳ ହୋଇଥିବା ଫସଲ ସୁରକ୍ଷିତ ରଖିବା ପାଇଁ କୃଷି ବିଭାଗର ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟରେ ପ୍ରବଳ ବର୍ଷା ଏବଂ କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର ଆଦି ଜିଲ୍ଲାରେ ମାତ୍ରାଧିକ ବର୍ଷାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି। ଏଥିଲାଗି କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଆଦି ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ କୃଷି ବିଭାଗ ଚିଠି ଲେଖିଛି।ଡିସେମ୍ବର ୩ରୁ ୬ ତାରିଖ ଯାଏଁ ଛୁଟି ବାତିଲ ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ଏଣେ ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବି ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛି କୃଷି ବିଭାଗ। ୪ ତାରିଖ ପୂର୍ବରୁ ବିଭିନ୍ନ ଫସଲ ଅମଳ କରିନେବା ଲାଗି ବି ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପ୍ରବାହିତ ବତାସ ଓ ପ୍ରବଳ ବର୍ଷା ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୋର୍‌ ଓ ମଛିଲିପଟନମ୍‌ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ ଜାରି କରିଥିବା ସତର୍କ ସୂଚନା ଅନୁଯାୟୀ, ଡିସେମ୍ବର ୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓ ତତ୍‌ସଂଲଗ୍ନ ଦକ୍ଷିଣ ଅଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି, ଡିସେମ୍ବର ୫ ତାରିଖରେ ମଧ୍ୟ ଉପରୋକ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Spread the love