ଏମାର ମଠର ଗୁପ୍ତ ରହସ୍ୟ

୧୯୨୧ ମସିହାରେ ରଘୁନନ୍ଦନ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲା ଏମାର ମଠ। ଏବେ ଏହି ଲାଇବ୍ରେରୀ ମାଟିରେ ମିଶିଛି। ଜିଲ୍ଲା ପ୍ରଶାସନ ଏମାର ମଠକୁ ଭାଙ୍ଗି ଦେଇଛି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମଠର ମହନ୍ତ ରାଜଗୋପାଳ ରାମାନୁଜଦାସ। ତାଙ୍କ ବିନା ଅନୁମତିରେ ମଠ ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି।ସେ କହିଛନ୍ତି-“କିଛି ଦିନ ତଳେ ଏହି ଲାଇବ୍ରେରୀର ନବୀକରଣ କରାଯାଇଥିଲା। ଏହା ଅସୁରକ୍ଷିତ ନଥିଲା। ତେଣୁ ଏହାକୁ ଭଙ୍ଗାଯିବା ଠିକ ହୋଇନି। ମଠ ଭିତରେ ଥିବା ଅସୁରକ୍ଷିତ ଓ ଅବ୍ୟବହୃତ ଘରଗୁଡିକୁ ଭାଙ୍ଗି ଦେବାକୁ ପ୍ରଶାସନ ସହ ତାଙ୍କର ଆଲୋଚନା ହୋଇଥିଲା। ଜନସାଧାରଣଙ୍କ କାମରେ ଆସିବ ଭାବି ଅନୁମତି ଦେଇଥିଲି।”
ଦ୍ୱାଦଶ ଶତାବ୍ଦୀର ରହସ୍ୟମୟ ଏମାର୍‌ ମଠକୁ ଭାଙ୍ଗି ଦିଆଯାଉଛି। ଏହି ଅଭିଯାନ ଆଗକୁ ଯେତିକି ବଢୁଛି, ସେତିକି ବଢୁଛି ରହସ୍ୟ। ତା’ ସହ ତାଳଦେଇ ବିବାଦ ମଧ୍ୟ ବଢ଼ିଛି । ଏହି ମଠରେ ଥିବା ଗୁପ୍ତ କୋଠରୀକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। ଆଉ ପ୍ରଶାସନର କାର୍ଯ୍ୟ ଉପରେ ମଠ ମହନ୍ତଙ୍କ ପ୍ରତିକ୍ରିୟାକୁ ନେଇ ମଧ୍ୟ ବିବାଦ ଉଠିଛି। ୬ ନୁହେଁ, ଏମାର ମଠରେ ଉପର ତଳ ହୋଇ ରହିଛି ଆହୁରି ୮ଟି ଏମିତି ଅବ୍ୟହୃତ ଗୁପ୍ତ କୋଠରୀ। ଏବେ ମଠ ପରିସରରେ ରହୁଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ। ହେଲେ ତାଙ୍କୁ ସିଧାସଳଖ ଭେଟିବାକୁ ସୁଯୋଗ ଦେଉନି ପ୍ରଶାସନ। କିଏ କହୁଛି ସେ ମୌନବ୍ରତରେ ଅଛନ୍ତି, ତ ଆଉ କିଏ କହୁଛି ଉଚ୍ଛେଦ କାମରେ ସେ ସହଯୋଗ କରୁନାହାନ୍ତି। ହେଲେ ଓଟିଭିକୁ ପ୍ରତିକ୍ରିୟା ଦେଇ ମହନ୍ତ ସ୍ପଷ୍ଟ କରିଛନ୍ତି ଯେ ସେ ମୌନବ୍ରତରେ ନାହାନ୍ତି। ସେ କେବଳ ପ୍ରଶାସନର କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି। ଅବ୍ୟବହୃତ କୋଠି ଓ ବିପଦସଂକୁଳ ଘରକୁ ଉଚ୍ଛେଦ ପାଇଁ ପ୍ରଶାସନ ସହ ତାଙ୍କର ଆଲୋଚନା ହୋଇଥିଲା। ମାତ୍ର ରଘୁନନ୍ଦନ ଲାଇବ୍ରେରୀ ଉଚ୍ଛେଦ ସଂପର୍କରେ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ମହନ୍ତି କହିଛନ୍ତି।

୨୦୧୧ ମସିହାରେ ଏମାର ମଠ ଚର୍ଚ୍ଚାକୁ ଆସିଥିଲା। କାରଣ ଏହି ମଠର ଏକ ଗୁପ୍ତ କୋଠରୀରୁ ସେତେବେଳେ ଜବତ ହୋଇଥିଲା କୋଟି କୋଟି ଟଙ୍କା ମୂଲ୍ୟର ୫୨୨ ଖଣ୍ଡ ରୁପା ଇଟା। ସେତେବେଳେ ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ହେଲେ ଘଟଣାର ୮ ବର୍ଷ ପରେ ମଧ୍ୟ ଫାଇନାଲ୍‌ ଚାର୍ଜସିଟ୍ ଦାଖଲ ହୋଇ ପାରିଲାନି। ତେଣୁ ଏଭଳି ସ୍ଥିତିରେ ଏମାର ମଠ ଉଚ୍ଛେଦକୁ ବିରୋଧ କରିଛନ୍ତି ବିରୋଧୀ ଦଳ। ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, “୮ ବର୍ଷ ତଳେ ଏହି ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ ହୋଇଥିଲା। ଆଜି ପର୍ଯ୍ୟନ୍ତ ତାହାର ଚାର୍ଜସିଟ୍‌ ହୋଇପାରିନି।” କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, “ସରକାରଙ୍କ ପାଖରେ ରୁପା ଓ ସୁନା ଇଟା ରହିଛି। ବର୍ତ୍ତମାନ ପରିସ୍ଥିତି ଏମିତି ହେଲାଣି, କେଉଁଦିନ ଏମାନେ ଜଗନ୍ନାଥଙ୍କୁ ଖାଇଯିବେ। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଏତେ ଭାଙ୍ଗିବାର ଆବଶ୍ୟକତା ନଥିଲା। ଯଦି ଭାଙ୍ଗିଲ, ତାହାହେଲେ ଥଇଥାନ କରିବା କଥା।” ଅପରପକ୍ଷେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି-“ଜବତ ହୋଇଥିବା ରୁପା ଇଟା ମାମଲା ଏବେ ବିଚାରାଧୀନ ରହିଛି।”

Spread the love