ବିଜେପି ଜିତିଲେ 5 ବର୍ଷରେ ଓଡ଼ିଶା ନଂ-1 ହେବ: ଶାହା

ଚଳିତ ନିର୍ବାଚନରେ ପିଜେପି ଜିତିଲେ ଆଗାମୀ 5 ବର୍ଷ ଭିତରେ ଓଡିଶା 1 ନମ୍ବର ରାଜ୍ୟ ଭାବେ ଗଣାହେବ ବୋଲି ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର କେନ୍ଦୁଝର ଗସ୍ତରେ ଆସି କହିଛନ୍ତି। ଜିଲ୍ଲାର ଦେବାଦେବୀ ଓ ପୁଲଓ୍ବାମାରେ ସହିଦ ହୋଇଥିବା ଦୁଇଜଣ ଓଡ଼ିଆଙ୍କୁ ସମ୍ମାନ ଜଣାଇ ସେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। କଂଗ୍ରେସ ଓ ବିଜେଡି ସରକାର ଏହି ଦେଶ ଓ ରାଜ୍ୟର ଦାରିଦ୍ର୍ୟ ଦୂର କରିବାରେ ଅସଫଳ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ 19 ବର୍ଷ ଧରି ଶାସନ କରିବା ସତ୍ତ୍ୱେ ଏଯାବତ ସେ ଭଲ ଭାବେ ଓଡ଼ିଆ ଭାଷା ଜାଣି ନ ଥିବା ନେଇ ଶାହ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ।

ଏହାଛଡ଼ା ସେ ଡିଏମ୍‌ଏଫ ମୋଦିଙ୍କ ଅବଦାନ ବୋଲି ସୂଚନା ଦେଇଥିଲେ। ମୋଦି ସରକାର ରେଳପଥ, ଜାତୀୟ ରାଜପଥ ଆଦିର ବିକାଶ ନେଇ କାର୍ଯ୍ୟ କରୁଥିବା ବେଳେ ଏଥର ସରକାରକୁ ଆସିଲେ ଏଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହାଛଡ଼ା କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ସ୍ଥାପନ, କେନ୍ଦୁପତ୍ରରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼, ବନଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ ବୋଲି ଶାହା କହିଛନ୍ତି। ଶାହା ବେରୋଜଗାରୀ, ପାନୀୟଜଳ ସମସ୍ୟା ବିଷୟରେ କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଥରେ ନବୀନଙ୍କୁ କ୍ଷମତାରୁ ହଟାଇବା ପରେ ବାହାରକୁ କାମ କରିବାକୁ ଯିବାକୁ ପଡ଼ିବ ନାହିଁ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମା, କେନ୍ଦୁଝର ବିଧାୟକ ପ୍ରାର୍ଥୀ ମୋହନ ମାଝୀ, ତେଲକୋଇ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ପାଟଣା ପ୍ରାର୍ଥୀ ଭବାନୀ ନାୟକ, ଘଷିପୁରା ପ୍ରାର୍ଥୀ ପୃଥ୍ବୀରାଜ କୁଅଁର, କରଞ୍ଜିଆ ବିଧାନସଭା ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ, ଜିଲା ସଭାପତି ରାଧାକାନ୍ତ ମହାନ୍ତ, ଦିଲୀପ ମିଶ୍ର, ଅମରବର ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ‘ଫିର ଏକ ବାର ମୋଦି ସରକାର, ରାଜ୍ୟ ସରକାର ବଦଳିବା ଦରକାର’ ବୋଲି ସ୍ଲୋଗାନ ଦିଆଯାଇଥିଲା। ଅମାପ ସମ୍ପଦ ଥାଇ କେନ୍ଦୁଝର ଜିଲା ଅବହେଳିତ ରହିଛି ବୋଲି ନେତାମାନେ ସଭାରେ ମତ ପ୍ରକାଶ କରିଥିଲେ।

Spread the love