୯ ଦିନିଆ ଯାତ୍ରା ସାରି ନୀଳକନ୍ଦରକୁ ଫେରିବେ ପ୍ରଭୁ ଶ୍ରୀଜଗନ୍ନାଥ

ନଅ ଦିବସୀୟ ଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ସାନଭାଇ ସୁଭଦ୍ରାଙ୍କ ସହିତ ଆଜି (ଶୁକ୍ରବାର) ପବିତ୍ର ଆଶାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ନୀଳକନ୍ଦର ଅଭିମୁଖେ ଫେରିବେ । ଏଥି ପାଇଁ ରଥଯାତ୍ରା ଭଳି ଆଜି ମଧ୍ୟ ଭକ୍ତମାନେ ଶ୍ରୀଜଉ ମାନଙ୍କ ଆଗମନକୁ ଚାତକ ଭଳି ଅନେଇ ବସିଛନ୍ତି । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ପୁଣି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପୁରୀ ଉଠିବ । ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ଆଧ୍ୟାତ୍ମିକ ବଡ଼ଦାଣ୍ଡ କମ୍ପି ଉଠିବ । ବାହୁଡ଼ା ଯାତ୍ରା ଅବସରରେ ପୁରୀକୁ ପ୍ରାୟ ୧୦ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଭଗବାନ ଶ୍ରୀଜଗନ୍ନାଥଙ୍କ ଆଡ଼ପ ଦର୍ଶନ ଗୁରୁବାର ସନ୍ଧ୍ୟା ୭ଟାରେ ଶେଷ ହୋଇଯାଇଛି । ଗୁଣ୍ଡିଚା ମନ୍ଦିରରେ ଏହି ଦର୍ଶନ ୮ ଦିନ ଯାଏଁ ଚାଲିଥିଲା । ଆଡ଼ପ ଦର୍ଶନ ଗୁରୁବାର ସନ୍ଧ୍ୟା ୭ଟାରେ ଶେଷ ହେବା ପରେ ବାହୁଡ଼ା ନୀତି ଆରମ୍ଭ ହୋଇଯାଇଥିଲା । ଆଜି ଭୋର ସକାଳୁ ମହାପ୍ରଭୁଙ୍କର ବିଭିନ୍ନ ପାରଂପରିକ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । 

ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । କାର୍ଯ୍ୟସୂଚୀ ଅନୁସାରେ ଆଜି ମଧ୍ୟାହ୍ଣ ୧୨ ଟାରୁ ଗୁଣ୍ଡିଚା ମନ୍ଦିର ଭିତରୁ ପହଣ୍ଡି ହେବ । ଏହା ସାଢ଼େ ୨ଟା ଯାଏଁ ଶେଷ ହୋଇପାରେ । ପହଣ୍ଡି ଶେଷ ହେବା ପରେ ଅପରାହ୍ଣ ୪ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମାତ୍ର ନିତୀ ଗୁଡ଼ିକ ଯଦି ପୂର୍ବରୁ ଶେଷ ହୋଇଯାଏ, ତା’ହେଲେ ରଥଟଣା କାର୍ଯ୍ୟ ୪ଟା ପୂର୍ବରୁ ମଧ୍ୟ ହୋଇପାରେ । ବାହୁଡ଼ା ଯାତ୍ରା ପାଇଁ ଭକ୍ତ ବଡ଼ଦାଣ୍ଡରେ ଗହଳି ଲଗାଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ବାହୁଡ଼ା ଯାତ୍ରା ଶେଷ କରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ମହାପ୍ରଭୁଙ୍କର ସୁନାବେଶ ଶନିବାର ଅନୁଷ୍ଠିତ ହେବ ଏବଂ ଜୁଲାଇ ୧୫ରେ ନୀଳଦ୍ରିବିଜେ ଦିନ ଶ୍ରୀଜିଉମାନେ ପୁଣି ଥରେ ରତ୍ନ ସିଂହାସନ ଆରୋହଣ କରିବେ । 

Spread the love