ରାଜ୍ୟ ସଂଗ୍ରହାଳୟ ଗ୍ୟାଲେରିରେ ପ୍ରଦର୍ଶିତ ହେବ ବୀର ସୁରେନ୍ଦ୍ର ସାଏଙ୍କ ତରବାରୀ ଓ ବୀରଗାଥା

ଓଡ଼ିଶାର ବୀର ଓ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ କୃତୀତ୍ୱକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ବ୍ୟବହୃତ ସାମଗ୍ରୀ ଗୁଡ଼ିକୁ ରାଜ୍ୟ ସଂଗ୍ରାହଳୟରେ ଏକ ସ୍ୱତନ୍ତ୍ର କୋଠରୀରେ ପ୍ରଦର୍ଶିତ କରାଯିବ ।  ପ୍ରକାଶଥାଉ କି, ବଲାଙ୍ଗୀର  ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଦେଶର ପ୍ରାୟ ସମସ୍ତ ଜାତୀୟ ସଂଗ୍ରହାଳୟରୁ ତଥ୍ୟ ସଂଗ୍ରହ କରିବା ପରେ ସୁରେନ୍ଦ୍ର ସାଏଙ୍କ ବିଷୟରେ ଓ ତାଙ୍କ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ କୌଣସି ତଥ୍ୟ ନଥିବା କଥା ସାମ୍ନାକୁ ଆସିଥିଲା।

କେବଳ ସୁରେନ୍ଦ୍ର ସାଏଙ୍କ ବ୍ୟବହୃତ ତରବାରୀ ଓ ଢାଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମ୍ୟୁଜିୟମରେ ରହିଛି। ବୀର ସାଏଙ୍କ ବୀର ଗାଥା ଓ ବ୍ୟବହୃତ ସାମଗ୍ରୀକୁ ଜାତୀୟ ସଂଗ୍ରହାଳୟ ଓ ରାଜ୍ୟ ସଂଗ୍ରହାଳୟର ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରିରେ ସ୍ଥାନିତ କରିବାକୁ ଶ୍ରୀ ପଣ୍ଡା ବହୁଦିନ ଧରି ଉଦ୍ୟମ କରିଆସୁଛନ୍ତି। ରାଜ୍ୟପାଳଙ୍କ ବଲାଙ୍ଗୀର ଗସ୍ତ ସମୟରେ ତାଙ୍କୁ ସାକ୍ଷାତ କରି ଶ୍ରୀ ପଣ୍ଡା ସ୍ୱତନ୍ତ୍ର ଭାବେ ରାଜ୍ୟ ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି ପ୍ରତିଷ୍ଠା କରି ବୀର ସାଏଙ୍କ ସମ୍ପର୍କରେ ତଥ୍ୟ ଓ ବ୍ୟବହୃତ ସାମଗ୍ରୀକୁ ପ୍ରଦର୍ଶିତ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ସଂସ୍କୃତି ବିଭାଗକୁ ଏ ସମ୍ପର୍କରେ ଜଣାଇ ଦିଆଯିବା ପରେ ରାଜ୍ୟ ସଂଗ୍ରହାଳୟ କାର୍ଯ୍ୟାଳୟ ପକ୍ଷରୁ ପତ୍ର ମାଧ୍ୟମରେ ଶ୍ରୀ ପଣ୍ଡାଙ୍କୁ ଏହି ସୂଚନା ଦିଆଯାଇଛି। ରାଜ୍ୟ ସଂଗ୍ରହାଳୟରେ ୫ଟି ନୂତନ ଗ୍ୟାଲେରି ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ଉକ୍ତ ଗ୍ୟାଲେରି ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରିର ପ୍ରସ୍ତାବ ମଧ୍ୟ ରହିଛି।

Spread the love