ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ ମାରିବା ରାଜ୍ୟ ସରକାରଙ୍କର ଶିଳ୍ପ ବିରୋଧୀ ନୀତିର ପ୍ରତିଫଳନ:ବିଜେପି

ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ । ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର
ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ କ୍ଷତି ସଂପର୍କରେ ଆଲୋଚନା କରିନଥିଲେ । ଶିଳ୍ପଦ୍ୟୋଗୀମାନେ ବିଦ୍ୟୁତ ସଂଯୋଗ ନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଏଥି ପ୍ରତି କର୍ଣ୍ଣପାତ କରିନଥିଲା । ଅନ୍ୟପଟେ ଶିଳ୍ପ ଅଧିକାରୀଙ୍କ ପାଖରେ ବିଦ୍ୟୁତ ଯୋଗାଣ ତୁରନ୍ତ ଯୋଗାଇ ଦେବା ପାଇଁ ଦାବି କରିବାରୁ ୨ ଜଣ ଶିଳ୍ପଦ୍ୟୋଗୀଙ୍କୁ ପୋଲିସ ଗିରଫ କରିଥିଲା ।

କ୍ଷୟକ୍ଷତି ଦେଖିବାକୁ ଆସିଥିବା ଶିଳ୍ପ ଅଧିକାରୀମାନେ ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା ନକରି ଓଲଟା ପୋଲିସ ଦ୍ୱାରା ମାଡ ମାରି ସେମାନଙ୍କୁ ଗିରଫ କରାଯିବା
ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ହେଉଛନ୍ତି ଶିଳ୍ପ ବିରୋଧୀ । ସେଥିଲାଗି ପୋଲିସ ପ୍ରଶାସନ
ଲଗାଇ ଓଡିଶାର ଶିଳ୍ପଦ୍ୟୋଗୀଙ୍କ ସ୍ୱର ଚାପିବାକୁ ପ୍ରୟାସ କରୁଛନ୍ତି । ବିନା ପାଣି କିମ୍ବା ବିଦ୍ୟୁତରେ କୌଣସି ଶିଳ୍ପ
ଚାଲିବା ଅସମ୍ଭବ । ଦୀର୍ଘ ୧୨ ଦିନ ପରେ ଜଗତପୁର ଶିଳ୍ପାଚଂଳକୁ ବିଦ୍ୟୁତ ନେଯାଗାଇବା କାରଣରୁ କୋଟି
କୋଟି ଟଙ୍କାର କ୍ଷତି ହେଉଛି । ଏମଏସଏମଇ ସଚିବ ଏ ନେଇ କୌଣସି ବ୍ୟବସ୍ଥା କରିନାହାଁନ୍ତି ।

ବାତ୍ୟା ଫନି ପାଇଁ ରାଜ୍ୟସରକାର କି ଶିଳ୍ପ ବିଭାଗ ପ୍ରସ୍ତୁତ ନଥିଲା । ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଶିଳ୍ପଦ୍ୟୋଗୀଙ୍କୁ ସହାୟତା
ନଦେଇ ସେମାନଙ୍କ ଉପରେ ଜୁଲମ ହେବା କଟା ଘାରେ ଚୂନ ଦେବା ସଦୃଶ । ରାଜ୍ୟସରକାର ଓଡିଶାର ଶିଳ୍ପଦ୍ୟୋଗୀମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ପୋଲିସ ଦ୍ୱାରା ମାଡ ମାରି
ଦମନ କରିଚାଲିଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପର ବିକାଶ କରିବା କଥା ମେକ ଇନ ଓଡିଶାରେ କହୁଥିବା ସମୟରେ ଅନ୍ୟପଟେ ଜଗତପୁର ଶିଳ୍ପାଚଂଳରେ ଶିଳ୍ପପତିମାନଙ୍କୁ ପୋଲିସ ଲଗାଇ ଆକ୍ରମଣ କରୁଛନ୍ତି । କେବଳ ରାଜନୈତିକ ସ୍ୱାର୍ଥ ପାଇଁ ଶିଳ୍ପଦ୍ୟୋଗୀମାନଙ୍କୁ ବ୍ୟବହାର କରାଯାଉଛି । ଏବେ ଶିଳ୍ପଦ୍ୟୋଗୀ ସମସ୍ୟାର ସମାଧାନ ନକରି ସେମାନଙ୍କ ଉପରେ ହୋଇଥିବା ଦମନକୁ ଶ୍ରୀ ମହାନ୍ତି ଦୃଢ ନିନ୍ଦା
କରିବା ସହ ଜଗତପୁର ଶିଳ୍ପାଚଂଳରେ ବାତ୍ୟା ଫନି ଜନିତ ହୋଇଥିବା କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା
କରିବାକୁ ଦାବି କରିଛନ୍ତି ।

Spread the love