ରାଜ୍ୟସରକାର ପାନବରଜକୁ ବୀମାଭୃକ୍ତ କରନ୍ତୁ:କୃଷକମୋର୍ଚ୍ଚା

ବାତ୍ୟା ଫନି ପରେ ରାଜ୍ୟସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ କୌଣସି ସହାୟତା  ମିଳିନାହିଁ । କେବଳ ବୀମା କରିଥିବା ଚାଷୀମାନଙ୍କୁ ଚିହ୍ନଟ କରାଯାଇ କ୍ଷୟକ୍ଷତି ଆକଳନ କରାଯାଉଛି । କିନ୍ତୁ ନିଜ ଅର୍ଥରେ କୁକୁଡା ଫାର୍ମ କରିଥିବା ଚାଷୀଙ୍କୁ କୌଣସି ପଶୁସଂପଦ ବିଭାଗର ଅଧିକାରୀ ଆଡ ଆଖିରେ ଚାହୁଁ ନାହାଁନ୍ତି । ଫନି ପ୍ରଭାବରେ ହଜାର
ହଜାର ହେକ୍ଟର ଚାଷ ଜମି ଏବଂ ଫସଲ ନଷ୍ଟ ହୋଇଛି । ଧାନ, ଆଖୁ, ନଡିଆ,ଗୁଆ, ପାନବରଜ ଚାଷ, ଛତୁ ଚାଷ ଏବଂ
ବିଭିନ୍ନ ପ୍ରକାରର ପନିପରିବା ଫସଲ ପୂରା ଛାରଖାର ହୋଇଛି । ପାନ ବରଜ କରିଥିବା ଚାଷୀ, ଫାର୍ମ କରିଥିବା କୁକୁଡା ଚାଷୀ
ଏବଂ ଗୋପାଳନ କରୁଥିବା ଚାଷୀଙ୍କୁ ରାଜ୍ୟସରକାର ସହାୟତା ପହଂଚାଇନାହାଁନ୍ତି । କେବଳ ଦଳୀୟ କର୍ମୀ ଏବଂ ତାଙ୍କ
ସଂପର୍କୀୟମାନଙ୍କୁ ରିଲିଫ ବଂଟାଯାଇଛି ।
ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଆଜି ବାଲିପାଟଣା, ନିମାପଡା,
ନିଆଳି ଆଦି ଅଂଚଳର ନିଆଁଗୋରଡା, ଡିହବାରି, ରଟିଲୋ ଗାଁ ସହ ବିଭିନ୍ନ ଗ୍ରାମର ଚାଷଜମି, ପାନବରଜ, କୁକୁଡା ଫାର୍ମ ବୁଲି
ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚଳିତ ରବି ରୁତୁରେ ଖରାଟିଆ ଧାନ ତଥା ସମସ୍ତ ଡାଲି ଜାତୀୟ
ଶସ୍ୟକୁ ବୀମାଭୃକ୍ତ ଘୋଷଣା କରାଯାଇଥିଲେ ମଧ୍ୟ ସମବାୟ ବିଭାଗର ଖାମଖିଆଲି ନୀତି ଯୋଗୁଁ ଜଣେ ବି ଚାଷୀଙ୍କୁ ବୀମା ରାଶି
ପାଇପାରିଲେ ନାହିଁ । ଅନ୍ୟପଟେ ରାଜ୍ୟସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା, ପାନବରଜକୁ
ବୀମାଭୃକ୍ତ କରିବା ସହ ବୀମା ନକରି ଫାର୍ମ କରିଥିବା କୁକୁଡା ଓ ଗୋ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିନିଧୀ
ଦଳ ଦାବି କରିଛି ।
ପାନବରଜ, ଛତୁ ଚାଷ, ନଡିଆ, ଗୁଆ, ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଛି । ବିଭିନ୍ନ ଅଂଚଳରେ ଏଯାବତ
ଗୋଖାଦ୍ୟ ପହଂଚି ପାରିନାହିଁ । କୁକୁଡା ଫାର୍ମ ସହ ନଡିଆ ଏବଂ ଗୁଆ ଗଛ ତଳେ ପଡି ରହିଛି । ଛତୁ ଚାଷ ନଷ୍ଟ ହୋଇଥିବାରୁ
ଚାଷୀମାନେ ଏବେ ଚିନ୍ତାରେ ରହିଛନ୍ତି । ପଲିଥିନ ବଦଳରେ ୫୦୦ ଟଙ୍କା ଦିଆଯାଉଛି । ବିଜେପିରେ ଭୋଟ ଦେଇଥିବା କହି
ପ୍ରଶାସନ ଏବଂ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ କୌଣସି ସହାୟତା ରାଶି ଦେଉନାହାଁନ୍ତି ବୋଲି ବାତ୍ୟା ବିପନ୍ନ ମାନେ ପ୍ରତିନିଧୀ ଦଳ
ଆଗରେ ଅଭିଯୋଗ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ଲିଙ୍ଗରାଜ ବାରିକ, ରବି ନାରାୟଣ ମହାପାତ୍ର, ପ୍ରଦୀପ ମହନ୍ତ, ଅଶୋକ ମହାନ୍ତି ଏବଂ
ଅମରେଶ୍ୱର ମିଶ୍ର ପ୍ରମୁଖ ସାମିଲ ଥିଲେ ।

Spread the love