ଦିଲ୍ଲୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ: ଦୁଇଟି ହହସ୍ପିଟାଲରେ ୪୫ ରୋଗୀ, ଜଣେ ମୃତ
ନୂଆଦିଲ୍ଲୀ ୧୯/୫: କରୋନା ଭୂତାଣୁର ଦ୍ବିତୀୟ ଲହର ସହ ମୁକାବିଲା କରୁଥିବା ଦିଲ୍ଲୀରେ ବ୍ଲାକ ଫଙ୍ଗସ୍ ଆତଙ୍କ ସୃଷ୍ଟି କରିଛି। ଅନେକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏହି ରୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଦିଲ୍ଲୀର ମୂଳଚନ୍ଦ ହସ୍ପିଟାଲରେ ୧୬ ମେ’ରେ ଆସିଥିଲା ଏହି ମାମଲା । ଏନେଇ ହସ୍ପିଟାଲର ଡାକ୍ତର ଭଗବାନ ମନ୍ତ୍ରୀ ସୂଚନା ଦେଇଛନ୍ତି। ମେରଠ ବାସିନ୍ଦା ୩୭ ବର୍ଷୀୟ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଥିଲେ। ତାଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ମଧ୍ୟ ଥିଲା। କରୋନା ପଜିଟିଭ୍ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସେ ଘରେ ଚିକିତ୍ସିତ ହେଉଥିଲେ।
ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତିଜଣଙ୍କ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ବହୁ ପ୍ରଚେଷ୍ଟା ପରେ ବି ତାଙ୍କ ମୃତ୍ୟୁ ହୋଇଯାଇଛି। ମୂଳଚନ୍ଦ ହସ୍ପିଟାଲ ବ୍ୟତୀତ ଦ୍ବିଲ୍ଲୀର ଅନ୍ୟ ହସ୍ପିଟାଲରେ ଅନେକ ବ୍ଲାକ୍ ଫଙ୍ଗସ୍ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ୪୦ ବ୍ଲାକ୍ ଫଙ୍ଗସ୍ ରୋଗୀ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମ୍ୟାକ୍ସ ହସ୍ପିଟାଲରେ ୨୫ ଜଣ, ଏମ୍ସରେ ୧୫-୨୦ ମାମଲା ଥିବା ମୂଳଚନ୍ଦ ଜଣେ ଆକ୍ରାନ୍ତ ଥିବା ଆଜତକ୍ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ମୂଳଚନ୍ଦ ହସ୍ପଟାଲରେ ପ୍ରାଣ ହରାଇଥିବା ରୋଗୀଙ୍କ ସମ୍ପର୍କରେ ଡାକ୍ତର କହିଛନ୍ତି ୧୬ ମେ ହସ୍ପିଟାଲ ଆସିଥିଲେ ରୋଗୀ।
ତାଙ୍କ ଆଖିରେ ଚିହ୍ନ ଥିବା ବେଳେ ପୂରା ମୁହଁରେ ମଧ୍ୟ ଦାଗ ଥିଲା। ତାଙ୍କ ଆଖି ଲାଲ ପଡ଼ିଥିବା ବେଳେ ନାକରୁ ରକ୍ତ ପଡ଼ୁଥିବା ଅଭିଯୋଗ ମଧ୍ୟ କରିଥିଲେ। ସମସ୍ତ ଟେଷ୍ଟ କରାଯିବା ପରେ ବ୍ଲାକ୍ ଫଙ୍ଗସ ହୋଇଥିବା ନେଇ ଜଣାପଡ଼ିଥିଲା। ସର୍ଜରି ସମେତ ବହୁ ପ୍ରଚେଷ୍ଟା ପରେ ମଧ୍ୟ ହୃଦଘାତରେ ରୋଗୀଙ୍କ ଜୀବନ ଚାଲିଯାଇଥିବା ଡାକ୍ତର କହିଛନ୍ତି। ବ୍ଲାକ୍ ଫଙ୍ଗସ୍ ଯୋଗୁ ମୃତ୍ୟୁ ହାର ବଢ଼ୁଥିବା ବେଳେ ଏହା ବିଶେଷ ଭାବେ ରୋଗୀଙ୍କ ଆଖିକୁ ପ୍ରଭାବିତ କରୁଛି ବୋଲି ଡାକ୍ତର ଭଗବାନ କହିଛନ୍ତି। କରୋନାର ଦ୍ବିତୀୟ ଲହର ସମୟରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଉଛନ୍ତି। ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ସମେତ ଅନ୍ୟ କିଛି ରାଜ୍ୟରେ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକର ବେଙ୍ଗାଲୁରୁରେ ୧୫ ଦିନରେ ୭୫ ମାମଲା ମିଳିଥିବା ବେଳେ ରାଜସ୍ଥାନରେ ଏହି ରୋଗ ଯୋଗୁ ଅନେକଙ୍କ ଜୀବନ ଗଲାଣି।