ବ୍ରହ୍ମପୁର ସାଂସଦ ମାଡ ମାରିବା ପ୍ରସଙ୍ଗ: ଏପରି ‘ଟେରର’ କେଉଁ ‘ଟି’ରେ ଆସୁଛି : ବିଜେପି

ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ଗତକାଲି ଏକ ସର୍ବସାଧାରଣ ସ୍ଥାନରେ ତାଙ୍କର ଜଣେ କର୍ମୀଙ୍କୁ ଚାପୁଡା ମାରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ବେଳେ ତାଙ୍କ ସାଂସଦ ବିଧାୟକ ମାନଙ୍କୁ ସରଳ ହୁଅ, ଲୋକଙ୍କ ପାଖକୁ ଯାଅ ବୋଲି ଉପଦେଶ ଦେଉଛନ୍ତି ବୋଲି କହୁଛନ୍ତି । ହେଲେ ତାଙ୍କ ସାଂସଦଙ୍କର ସାଧାରଣ ସ୍ଥାନରେ ଏପରି ଆଚରଣ କଣ ମୁଖ୍ୟମନ୍ତ୍ରୀ ଦେଖିପାରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କଥାକୁ ତାଙ୍କ ସାଂସଦମାନେ ମାନୁ ନାହାଁନ୍ତି । ସର୍ବସାଧାରଣରେ ମାଡ ମାରିଲା ପରେ ସାଂସଦ ସଫେଇ ଦେଉଛନ୍ତି କି ସେ ଗାଲକୁ ଆଉଁସି ଦେଲେ ବୋଲି । ଗଣତନ୍ତ୍ରରେ ଏପରି ଔଦ୍ଧତାମି ଆଦୌ ଗ୍ରହଣୀୟ ନୁହେଁ । ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନରେ ‘୫ଟି’ କଥା କହୁଥିଲା ବେଳେ ତାଙ୍କ ସାଂସଦ ଏବେ ସାଧାରଣରେ ଟେରର (ଭୟ) ତିଆରି କରୁଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କର କେଉଁ ‘ଟି’ରେ ଆସୁଛି ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗ୍ୟୁ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଗଣତନ୍ତ୍ରରେ ନିର୍ବାଚନ ଜିତିବାର ଅର୍ଥ ନୁହେଁ ସାଧାରଣ ଭୋଟରଙ୍କୁ ଯାହା ପାରିବା କହିବା l ରାଜନୀତିରେ ଦ୍ୱିମତ ଥାଇପାରେ କିନ୍ତୁ ସାଧାରଣରେ ମାଡ ମାରି ଏପରି ଭୟର ବାତାବରଣ ତିଆରି କରିବା ଆଦୌ ଗ୍ରହଣୀୟ ନୁହେଁ । ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ଗୋଡ ହାତ ଧରି ଭୋଟ ମାଗୁଛନ୍ତି ଏବଂ ଜିତିଲା ପରେ ସର୍ବସାଧାରଣରେ ଚାପୁଡା ମାରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହାଦ୍ୱାରା ଓଡିଶାର ଛବି ଦେଶରେ ଖରାପ ହେଉଛି ।

Spread the love