CECଙ୍କୁ ନେଇ ରାହୁଲଙ୍କ ଅଭିଯୋଗର ଜବାବ ଦେଲେ ଅନୁରାଗ ଠାକୁର
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଅନୁରାଗଙ୍କ କଡ଼ା ଜବାବ । CECଙ୍କୁ ନେଇ ରାହୁଲଙ୍କ ଅଭିଯୋଗର ଜବାବ ଦେଲେ ଅନୁରାଗ ଠାକୁର । ପରାଜୟ ଲୁଚାଇବାକୁ ବିରୋଧୀଙ୍କ ଭିତ୍ତିହୀନ ଅଭିଯୋଗ ବୋଲି କହିଲେ । ପରାଜୟକୁ ଲୁଚାଇବା ପାଇଁ ନିର୍ବାଚନ ଆୟୋଗ ଓ ଅନ୍ୟ ସାମ୍ବିଧାନିକ ସଂସ୍ଥାକୁ ଟାର୍ଗେଟ କରୁଛନ୍ତି ବୋଲି ଠାକୁର ଅଭିଯୋଗ କରିଛନ୍ତି । ନିର୍ବାଚନ ଆୟୋଗର ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀ ଏବଂ SIRକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି । ରାହୁଲ ଗାନ୍ଧୀ CEC ଜ୍ଞାନେଶ କୁମାରଙ୍କୁ କଡ଼ା ସମାଲୋଚନା କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ । ବିବାଦର ପୃଷ୍ଠଭୂମି ଥିଲା ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ SIR ସମ୍ପର୍କିତ କେତେକ ନିଷ୍ପତ୍ତି ଓ ପ୍ରକ୍ରିୟା ଉପରେ ଆପତ୍ତି । ଏହାପରେ ନିର୍ବାଚନ ଆୟୋଗ ଏକ ବିସ୍ତୃତ ବିବୃତି ଜାରି କରି SIR ସମ୍ପର୍କିତ ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିକ୍ରମେ ନିଆଯାଇଥିବା କହିଛନ୍ତି ।
ଏହି ବିବୃତିକୁ ଆଧାର କରି ଅନୁରାଗ ଠାକୁର କହିଛନ୍ତି, ନିର୍ବାଚନ ଆୟୋଗ ନିଜ ପକ୍ଷ ସ୍ପଷ୍ଟ କରିସାରିଛନ୍ତି । ତଥାପି ରାହୁଲ ଗାନ୍ଧୀ ଓ କିଛି ବିରୋଧୀ ନେତା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ସହ ନିଜ ନିର୍ବାଚନୀ ପରାଜୟରୁ ଧ୍ୟାନ ହଟାଇବା ପାଇଁ ଏଭଳି ଅଭିଯୋଗ କରୁଛନ୍ତି । ପ୍ରମାଣ ବିନା ସାମ୍ବିଧାନିକ ସଂସ୍ଥାଗୁଡ଼ିକର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଯାଉଛି ବୋଲି ମଧ୍ୟ ଠାକୁର ଅଭିଯୋଗ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନିର୍ବାଚନ ଆୟୋଗର ସ୍ପଷ୍ଟୀକରଣ ପରେ ମଧ୍ୟ କେତେକ ପ୍ରଶ୍ନର ଉତ୍ତର ମିଳିନଥିବା ଦାବି କରୁଛନ୍ତି । ଫଳରେ CEC ଓ SIRକୁ କେନ୍ଦ୍ର କରି ଶାସକ-ବିରୋଧୀ ରାଜନୈତିକ ଲଢ଼େଇ ଜାରି ରହିଛି ।
