ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଭୁମିକା ମହତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ତା.୨୧/୦୬: ଆଜିର ପ୍ରଯୁକ୍ତି ବିଦ୍ୟା ଯୁଗରେ ସୁଚନା ଓ ପ୍ରସାରଣର ସବୁଠୁ ବଡ ଓ ଶକ୍ତଶାଳୀ ମାଧ୍ୟମ ସାଜିଛି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ । ଡିଜିଟାଲ ବିପ୍ଳବ ଯୋଗୁଁ ପ୍ରତିଟି ସ୍ମାର୍ଟଫୋନ ନାଗରିକଙ୍କୁ ସାମ୍ବାଦିକତାର କ୍ଷମତା ପ୍ରଦାନ କରୁଛି, ଯେଉଁଠି ଦାୟିତ୍ୱବୋଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଆବଶ୍ୟକତା ରହିଛି । ଆଜି ପାରଂପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ମଧ୍ୟରେ ତଥ୍ୟ ପହଂଚାଇବାକୁ ନେଇ ଏକ ବଡ ସୂଚନାଗତ ପ୍ରତିଯୋଗିତା ଚାଲିଛି । ଭ୍ରମାତ୍ମକ ଭାଇରାଲ ସଂସ୍କୃତି ଓ କିଛି ନିର୍ଦ୍ଦିଷ୍ଟ ବାମପନ୍ଥୀ ମନୋଭାବସଂପନ୍ନ ବ୍ୟକ୍ତିଙ୍କ ନକରାତ୍ମକ ତଥ୍ୟକୁ ସତ୍ୟ ଆଧାରରେ ପ୍ରତିହିତ କରିବା ଜରୁରୀ ଅଟେ । ସେନ୍ସେସନାଲ କରିବା ଚକ୍କରରରେ ଗୁଜବ ପ୍ରସାରିତ ନକରି ନିଜ କନ୍ଟେଂଟର ବିଶ୍ୱସନୀୟତା ବଜାୟ ରଖିବା ଉଚିତ୍ । ସମାଜର ସୁସ୍ଥ ବାତାବରଣ ପାଇଁ ପ୍ରତ୍ୟେକ ସୁଚନାର ତଥ୍ୟ ଯାଂଚ କରି ପ୍ରସାର କରିବା ଆବଶ୍ୟକ । ଭ୍ରମାତ୍ମକ ଓ ଶସ୍ତା ପ୍ରସିଦ୍ଧିର ମୋହରୁ ଦୂରରେ ରହି ଗୁଣାତ୍ମକ ମାନ ଉପରେ ଗୁରୁତ୍ୱ ଦିଅନ୍ତୁ । ସମାଜର ହିତ ସାଧନ କରୁଥିବା ଏବଂ ପ୍ରକୃତ ଜନକଲ୍ୟାଣକାରୀ ପ୍ରୟାସକୁ ଦର୍ଶାଉଥିବା ଉନ୍ନତ ବିଷୟବସ୍ତୁ ପ୍ରସ୍ତୁତ ହେବା ଜରୁରୀ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କୁ ନେଇ ଅନୁଷ୍ଠିତ “ସୃଜନ ସମ୍ବାଦ” କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜିର ଏହି ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଭୁମିକା ମହତ୍ୱପୂର୍ଣ୍ଣ । ଆମ ସରକାରଙ୍କ ଜନହିତକର ପ୍ରୟାସ ଏବଂ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଅନନ୍ୟ ପରଂପରାକୁ ଡିଜିଟାଲ ମାଧ୍ୟମରେ ବିଶ୍ୱ ଦରବାରରେ ସଠିକ ଭାବେ ଉପସ୍ଥାପନ କରି ବିକଶିତ ଭାରତ ସହ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନକୁ ସାକାର କରିବାରେ ସମସ୍ତେ ସକରାତ୍ମକ ମତାମତ ଦେଇ ବିକାଶର ସାରଥୀ ସାଜିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି ।
ରାଜ୍ୟରେ ସୃଷ୍ଟି ହେଉଥିବା ‘ନୂତନ ରୋଜଗାର’ ଏବଂ ‘ବିକାଶର ରୋଡମ୍ୟାପ’ ଯୁବକମାନଙ୍କ ମନରେ ଏକ ନୂଆ ଆତ୍ମବିଶ୍ୱାସ ଜାଗ୍ରତ କରୁଥିବାବେଳେ ଆମ ସରକାରଙ୍କ ବିଭିିନ୍ନ ଜନକଲ୍ୟାଣ ଯୋଜନା ଯେପରିକି, ମହିଳା ସଶକ୍ତୀକରଣ, କନ୍ୟା ସନ୍ତାନଙ୍କ ସୁରକ୍ଷା, ଗ୍ରାମୀଣ ଆବାସ ଓ ଗ୍ରାମୀଣ ସଂଯୋଗୀକରଣର ବାସ୍ତବ ଚିତ୍ରକୁ ଲୋକଙ୍କ ସାମ୍ନାକୁ ଆଣିବା ଆବଶ୍ୟକ । ସେହିଭଳି ଆମ ରାଜ୍ୟରେ ଆରମ୍ଭ ହୋଇଥିବା ଆଡଭାନ୍ସଡ ୩ଡି ଚିପ୍ ପ୍ୟାକେଜିଂ ୟୁନିଟ ଏବଂ ବୃହତ ଷ୍ଟିଲ ପ୍ରକଳ୍ପ ଭଳି ଆଧୁନିକ ଶିଳ୍ପାୟନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ କାହାଣୀକୁ ଲୋକଲୋଚନକୁ ଅଣାଯାଉ । ସରକାରଙ୍କ ନୀତି ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରି ପ୍ରକୃତ ହିତାଧିକାରୀଙ୍କ ସଫଳତାର କାହାଣୀକୁ ବ୍ୟାପକ ପ୍ରସାର କରାଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢ ଆଶାବ୍ୟକ୍ତ କରିଛନ୍ତି । ଗତ ସରକାର ଅମଳରେ ସମାଲୋଚନାକୁ ନାଲି ଆଖି ଦେଖାଇ ସ୍ୱର ଚପାଇବାର ପ୍ରୟାସ କରାଯାଉଥିବାବେଳେ ଆମ ସରକାର ସୃଜନଶୀଳତାର ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଦୃଢ ବିଶ୍ୱାସ ରଖିଛି । ଆମ ସରକାର ଅଭିବ୍ୟକ୍ତିର ସ୍ୱାଧୀନତା, ସମାଲୋଚନା ଏବଂ କ୍ରିଏଟିଭ ସ୍ୱାଧୀନତାକୁ ସଂପୂର୍ଣ୍ଣ ସମ୍ମାନ ଜଣାଏ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ମାନ୍ୟବର ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ପୁରୀ ସାଂସଦ ଡା.ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହି ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *