ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗ ସମ୍ପର୍କରେ ସିଏମ୍‌ଇ

ଭୁବନେଶ୍ୱର, ୨୭/୦୨ : ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗର କାରଣ, ସମସ୍ୟା ଓ ନିରାକରଣ  ସମ୍ପର୍କିତ ଏକ କନ୍‌ଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)
ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ହୋଇଯାଇଛି ।

ଯେଉଁ ଶିଶୁମାନଙ୍କର ଓଜନ ବୃଦ୍ଧି ଘଟିଛି, ସେମାନେ ହାଇପର୍ ଟେନ୍ସନ୍ ଅଥବା ମେଟାବୋଲିକ୍ ସିନ୍‌ଣ୍ଡ୍ରୋମ୍ ଭଳି ସମସ୍ୟା  ମଧ୍ୟରେ ଗତି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ନନ୍ ଆଲ୍‌କହଲିକ୍ ଫ୍ୟାଟି ଲିଭର ରୋଗ (ଏନ୍‌ଏଏଫ୍‌ଏଲ୍‌ଡି) ନିମନ୍ତେ ପରୀକ୍ଷା କରାଇ ନେବା ଉଚିତ୍ ବୋଲି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିରଞ୍ଜନ ମହାନ୍ତି କହିଛନ୍ତି । ବର୍ତମାନ ସାଧାରଣରେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ଏହି ଅବସରରେ ମୁମ୍ବାଇସ୍ଥିତ ଏମ୍‌ଜିଏମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ସାଇନ୍‌ସେସ୍‌ର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିମାଇ ଚରଣ ମହାନ୍ତି କହିଥିଲେ ଯେ ଶିଶୁମାନଙ୍କ କ୍ଷେତ୍ରରେ ହେପାଟାଇଟିସ୍ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି ତେଣୁ ସମାଜରୁ ଏହି ସଂକ୍ରମଣକୁ କମ୍ କରିବାର ଆବଶ୍ୟକତା ରହିଛି ।  ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ଡଃ ବୈଭବ ଭେଙ୍କଟେଶ ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ପ୍ୟାନ୍‌କ୍ରିଆଟିକ୍ (ଅଗ୍ନାଶୟ) ରୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଇଣ୍ଡିଆନ୍ ଏକାଡେମିକ୍ ଅଫ୍ ପେଡିଆଟ୍ରିକ୍ସ (ଆଇଏପି)ର ସଦସ୍ୟମାନଙ୍କ ସମେତ ୭୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭାଗର ବରିଷ୍ଠ ଫାକଲ୍ଟି ମେମ୍ବର୍ସ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସିଏମ୍‌ଇକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟନ କରିଥିବାବେଳେ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ ଡିନ୍ ଡଃ ଅଜୟ କୁମାର ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡଃ ମମତା ଦେବୀ ମହାନ୍ତି , ଆଇଏପିର ଭୁବନେଶ୍ୱର ଶାଖାର ସଭାପତି ଡଃ ନରେଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ସଂପାଦକ ଡଃ ଶୁଶୃତ ଦାସ ଉପସ୍ଥିତ ଥିଲେ ।
ଡଃ ମମତା ଦେବୀ ମହାନ୍ତି ଏବଂ ଡଃ ବିଶ୍ୱଜିତ ମିଶ୍ର ଆଲୋଚନାକୁ ପରିଚାଳନା କରିଥିବାବେଳେ ଡଃ ମୃତ୍ୟୁଞ୍ଜୟ ଦାଶ ଏବଂ ଡଃ ବ୍ରଜ କିଶୋର ବେହେରା ଉପସ୍ଥିତ ଥିଲେ ।

Spread the love