୩୪ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ

ରାୟପୁର-ବିଶାଖାପାଟଣା ରାସ୍ତାର କୁଟୁଗାଁ ଛକରୁ ସେମିଳିଗୁଡ଼ା ପୁଲିସ ବେଆଇନ ଭାବେ ପରିବହନ ହେଉଥିବା ପ୍ରାୟ ୩୪ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରିଛି। ଗୁରୁବାର ରାତି ପ୍ରାୟ ୯.୩୦ରେ ୨୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ‘ଡବ୍ଲୁବି-୩୩-ବି-୫୦୩୩’ ନମ୍ବରଧାରୀ ଏକ ୧୦ଚକିଆ ପିଚୁ ଟ୍ୟାଙ୍କର୍‌ ଉପରେ ଚଢ଼ାଉ କରି ପୁଲିସ ୬ କ୍ୱିଣ୍ଟାଲ୍‌ ୭୫ କିଲୋ ଚୋରା ଗଞ୍ଜେଇ ଜବତ କରି ‘ଏନ୍‌ଡିପିଏସ୍‌’ ଆଇନ ଅନୁସାରେ ମାମଲା ରୁଜୁ କରିଛି।
ପ୍ରତି ପୁଡ଼ିଆରେ ୧୦ କିଲୋ ଲେଖାଏଁ ଗଞ୍ଜେଇ ଥିବା ସମୁଦାୟ ୬୭ଟି ପୁଡ଼ିଆ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। କିନ୍ତୁ, ଅନ୍ଧକାରର ସୁଯୋଗ ନେଇ ଉକ୍ତ ଗାଡ଼ି ମଧ୍ୟରେ ଥିବା ଦୁଇଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ସ୍ଥାନୀୟ ପଟ୍ଟାଙ୍ଗୀ ଅଞ୍ଚଳରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା।
ଏହି ଚଢ଼ାଉରେ ମାଜିଷ୍ଟ୍ରେଟ୍‌ ତଥା ସିମିଳିଗୁଡ଼ା ତହସିଲ୍‌ଦାର୍‌ ଶରତ ମାଝୀ, ସିମିଳିଗୁଡ଼ା ଥାନାର ଭାରପ୍ରାପ୍ତ ଅଧିକାରୀ ଧୀରେନ କୁମାର ବେହେରା, ଏସ୍‌ଆଇ ଅନୀତା ନାୟକ, ହାବିଲ୍‌ଦାର ଏମ୍‌. କେ. ବାଗ, କନେଷ୍ଟବଳ ଏନ୍‌. ମୁଦୁଲି, ଏମ୍‌. ଏସ୍‌. ମୁୁଦୁଲି, ‘ଓଏପିଏଫ୍‌’ ବି. ମୁଦୁଲି ଓ ଜେ. କୁଲେସିକା ସାମିଲ ହୋଇଥିଲେ।

Spread the love