ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ବାମୀ, ବିଦ୍ୟୁତ ତାର ଧରି ଜୀବନ ହାରିଲେ ସ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ପରେ ପତ୍ନୀ ବିଦ୍ୟୁତ୍‌ ତାରକୁ ଛୁଇଁ ଜୀବନ ହାରିଛନ୍ତି। ତେବେ ସେମାନଙ୍କର ମୃତ୍ୟୁର କାରଣ ଓ କେଉଁ ଭଳି ପରିସ୍ଥିତିରେ ପତ୍ନୀ ଆତ୍ମହତ୍ୟା କଲେ ତାହା ସନ୍ଦେହ ଘେରରେ ରହିଛି।

ପ୍ରାୟ ୧୮ ବର୍ଷ  ପୂର୍ବେ ବଣିଆ ଟାଙ୍ଗୀର ସମରେନ୍ଦ୍ର ସେନାପତି (୪୩) ଓ ଗଡ଼ଖୋର୍ଦ୍ଧାର ସୁମିତା ବିବାହ କରିଥିଲେ। ଉଭୟ ନିଜର ତିନି ସନ୍ତାନଙ୍କ ସହ ବାଜପୁର ପଞ୍ଚାୟତ ବଣିଆଟାଙ୍ଗୀ ଠାରେ ରହନ୍ତି। ସେମାନଙ୍କ ୧୭ ବର୍ଷ ଓ୧୨ ବର୍ଷ ବୟସର ଦୁଇଟି ଝିଅ ଓ ୭ ବର୍ଷ ବୟସର ଗୋଟିଏ ପୁଅ ଅଛନ୍ତି। ସମରେନ୍ଦ୍ରଙ୍କ ବଡ଼ ଭାଇ ଅମରେନ୍ଦ୍ରଙ୍କ କହିବାନୁସାରେ, ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ସମରେନ୍ଦ୍ର ବିଲରୁ ଫେରି ଘର ଭିତରକୁ ଯାଇ ଭିତରପଟରୁ କବାଟ ଦେଇଦେଇଥିଲେ। ସେ କବାଟ ନଖୋଲିବାରୁ ତାଙ୍କ ପୁଅ ଆସି ତାଙ୍କୁ ଡାକିଥିଲା। ସମେରନ୍ଦ୍ରଙ୍କ ବନ୍ଧୁ, ସେ ଓ ପାଖପଡ଼ୋଷୀ ଆସି କବାଟ ବାଡେଇଥିଲେ। କବାଟ ନଖୋଲିବାରୁ ଶାବଳରେ  କବାଟ ତାଡ଼ି ଭିତରେ ପଶିବା ବେଳେ ସମରେନ୍ଦ୍ର ଏକ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କୁ ଏକ ଅଟୋରେ ନେଇଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ବେଳେ ପତ୍ନୀଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା‌। ପତ୍ନୀ ଘରର ପଙ୍ଖାକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‌ ତାର ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଥିଲା। ତେବେ ସେ ମଧ୍ୟ ପ୍ରକୋଷ୍ଠର ଭିତରପଟୁ କବାଟ ଦେଇଥିବାରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ବାଇଁ କହିଛନ୍ତି, ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ୧୫ ଓ ୧୬/୨୦୨୩ରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବାଜପୁର ସରପଞ୍ଚ କେଦାରେଶ୍ବର ପୃଷ୍ଟି କହିଛନ୍ତି, ସମରେନ୍ଦ୍ର ତାଙ୍କ ଜଣେ ବନ୍ଧୁ। କିନ୍ତୁ ସେ ଓ ତାଙ୍କ ପତ୍ନୀ କାହିଁକି ଓକେଉଁ ଭଳି ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ତାହା ଜଣାନାହିଁ। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ବର୍ତମାନ ଅନାଥ ହୋଇଯାଇଛନ୍ତି। ସରକାରୀ ସେମାନଙ୍କ ଭରଣପୋଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ଅନୁରୋଧକରୁଛନ୍ତି।

Spread the love