ବିଦେଶରେ ଚାଉଳ କିଣିବାକୁ ଭାରତୀୟଙ୍କ ପ୍ରବଳ ଭିଡ଼

ନୂଆଦିଲ୍ଲୀ: ଭାରତ ସରକାର ନିକଟରେ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏହାର ପ୍ରଭାବ ବିଦେଶରେ ରହିଥିବା ଭାରତୀୟମାନଙ୍କ ଉପରେ ପଡ଼ିଛି। ସେମାନେ ଭୟଭୀତ ହୋଇ ଅଧିକରୁ ଅଧିକ ମାତ୍ରାରେ ଚାଉଳ କିଣିବାରେ ଲାଗିଛନ୍ତି। ଦୋକାନ ଓ ମଲ୍‌ରୁ ଚାଉଳ ବସ୍ତା ଖାଲି ହେବା ସହିତ ଗ୍ରୋସରି ଦୋକାନ ଆଗରେ ଚାଉଳ କିଣିବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ପୂର୍ବରୁ ପ୍ରତିକୂଳ ପାଣିପାଗ ଓ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ବ ଖାଦ୍ୟ ବଜାର ପ୍ରଭାବିତ ହୋଇଥିଲା। ଏବେ ଭାରତର ରପ୍ତାନି କଟକଣା ନିଷ୍ପତ୍ତି ଏହାକୁ ଆହୁରି ଜଟିଳ କରିଦେଇଛି।

ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଆଦି ଦେଶରେ ବସବାସ କରୁଥିବା ଭାରତୀୟମାନେ ଘରେ ଚାଉଳ ମହଜୁଦ କରି ରଖୁଛନ୍ତି। ଏହାକୁ ଦେଖି କିଛି ଦୋକାନୀ ଚାଉଳ ବିକ୍ରି ସୀମା ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ କିଛି ବ୍ୟବସାୟୀ ଏହାର ଲାଭ ଉଠାଇବା ପାଇଁ ଚାଉଳର ମୂଲ୍ୟ ବଢ଼ାଇ ଦେଇଛନ୍ତି। ବିଦେଶରେ ଥିବା ଭାରତୀୟ ରେସ୍ତୋରାଁ ମାଲିକଙ୍କ ମଧ୍ୟରେ ଚାଉଳ ଅଭାବ ଭୟ ଦେଖାଦେଇଛି।

ଭାରତୀୟମାନେ ପୂର୍ବରୁ ଯେତିକି ଚାଉଳ କିଣୁଥିଲେ ଏବେ ତାହା ତୁଳନାରେ ଦୁଇଗୁଣା ଅଧିକ ଚାଉଳ କିଣୁଛନ୍ତି ବୋଲି ଅଷ୍ଟ୍ରେଲିଆର ସୁରି ହିଲ୍ସସ୍ଥିତ ଜଣେ ଭାରତୀୟ ଗ୍ରୋସରି ବ୍ୟବସାୟୀ କହିଛନ୍ତି। ଏହି ଷ୍ଟୋର ଏବେ ‌ଜଣେ ଗ୍ରାହକ ପିଛା ୫ କିଗ୍ରା ଚାଉଳ କିଣିବାକୁ ସୁଯୋଗ ଦେଉଛି। ଆମେରିକାରେ ଗ୍ରାହକମାନେ ଗ୍ରୋସରି ଦୋକାନରେ ଚାଉଳ କିଣିବା ଲାଗି ବହୁମାତ୍ରାରେ ଭିଡ଼ ଲଗାଉଛନ୍ତି। କାନାଡ଼ାର ଟରଣ୍ଟୋରେ ଦୋକାନୀମାନେ ଗ୍ରାହକଙ୍କ ପାଇଁ ଚାଉଳ କ୍ରୟ ସୀମା ଧାର୍ଯ୍ୟ କରିଦେଇଛନ୍ତି। ମାଲେସିଆରେ ଜଣେ ଭାରତୀୟ ‌ରେସ୍ତୋରାଁ ମାଲିକ ଏ ନେଇ ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି ଚାଉଳ ଅଭାବ ଦେଖାଦେଲେ ଖାଦ୍ୟ ପ୍ରସ୍ତୁତି ମୂଲ୍ୟ ବଢ଼ିଯିବ। ତାଙ୍କ ରେ‌ସ୍ତୋରାଁର ଅଧିକାଂଶ ଗ୍ରାହକ ନିମ୍ନ ଆୟବର୍ଗର ହୋଇଥିବାରୁ ସେ ଏଥିନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଆମେ ଖାଦ୍ୟ ମୂଲ୍ୟ ବଢ଼ାଇବାକୁ ଆଗ୍ରହୀ ନୁହେଁ। ତେଣୁ ଏଭଳି ସ୍ଥିତିରେ ଆମ ଅବସ୍ଥା ଖରାପ ହୋଇଯିବ ବୋଲି ସେ କହିଛନ୍ତି।

Spread the love