ମଞ୍ଚରେ ଟଳି ପଡ଼ିଥିବା ନୃତ୍ୟଗୁରୁଙ୍କ ମରଶରୀର ଗଲା ମାଲେସିୟା
ନୃତ୍ୟ ପ୍ରଦର୍ଶନ ପରେ ମଞ୍ଚରେ ଦୀପ ଜାଳୁ ଜାଳୁ ଟଳି ପଡ଼ି ମୃତ୍ୟୁ ବରଣ କରିଥିବା ନୃତ୍ୟଗୁରୁ ଗଣେଶନ୍ଙ୍କ ମରଶରୀର ଆଜି ମାଲେସିୟାକୁ ପଠା ଯାଇଛି । ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହେଉଥିଲା ଜୟଦେବ ରାଷ୍ଟ୍ରୀୟ ସମ୍ମାନ ଉତ୍ସବ । ବିଭିନ୍ନ ସ୍ଥାନରୁ ଏମିତିକି ଭାରତ ବାହାରୁ ମଧ୍ୟ ଅନେକ ନୃତ୍ୟ ଶିଳ୍ପୀ ଆସିଥିଲେ ଭୁବନେଶ୍ୱର । ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେଉଥିଲା ଉତ୍ସବ । ମାଲେସିୟାରୁ ଆସିଥାନ୍ତି ମାଲେସିଆ ଭାରତ ନାଟ୍ୟମ ନୃତ୍ୟ ସଂଗଠନର ସଭାପତି ଗୁରୁ ଗଣେଶନ୍ । ସମସ୍ତେ ଉତ୍ସବରେ ଯୋଗ ଦେଇ ବହୁତ ଖୁସି ଥାଆନ୍ତି । ଗଣେଶନ୍ ନାଆଁଟି ହିଁ ତାଙ୍କ ପରିଚୟ । ନୃତ୍ୟ ଜଗତରେ ଖୁବ୍ ସମ୍ମାନ ରହିଛି ତାଙ୍କର । ତାଙ୍କୁ ନିମନ୍ତ୍ରଣ କରି ଡକା ହୋଇଥିଲା ରାଷ୍ଟ୍ରୀୟ ଜୟଦେବ ସମ୍ମାନ ସମାରୋହକୁ । ବହୁତ ଉତ୍ତୁଫୁଲ୍ଲିତ ଓ ଖୁସି ଥିଲେ ଗଣେଶନ୍ । ବ୍ୟକ୍ତିଗତ ଭାବରେ ମଧ୍ୟ ସେ ଖୁସି ମିଜାଜର ଲୋକ । ପ୍ରତିଭା ବି ସମସ୍ତଙ୍କୁ ଚକିତ କଲା ଭଳି । ସେଇଥି ପାଇଁ ତ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ମାଲେସିୟା ଭାରତ ନାଟ୍ୟମ ସଂଗଠନର ସଭାପତି ଭାବେ ।\
ସେଦିନ ଭଞ୍ଜ କଳାମଣ୍ଡପରେ ନୃତ୍ୟ ଗୁରୁ ଗଣେଶଶନ ନୃତ୍ୟ ପରିବେଷଣ କରୁଥାନ୍ତି । ଯାହା ପ୍ରତ୍ୟେକ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରୁଥାଏ । ଅପୂର୍ବ ଲାଳିତ୍ୟ ଓ ଅଙ୍ଗଭଙ୍ଗୀ । ନୃତ୍ୟ ପ୍ରଦର୍ଶନ ସରିଲା ପରେ ଆସିଲେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାକୁ । ସବୁ ଅତିଥି ଗହଣରେ ହସି ହସି ପ୍ରଦୀପ ପ୍ରଜ୍ବଳନ କରିବାକୁ ଯାଉଥିଲେ । ସମସ୍ତେ ତାଳି ମାରୁଥାନ୍ତି । ତେବେ ସେଇ ମୁହୂର୍ତ୍ତରେ ଦୀପ ଜାଳୁ ଜାଳୁ ଟଳି ପଡ଼ିଲେ ମଞ୍ଚ ଉପରେ । ସମସ୍ତେ ପାଖକୁ ଦୌଡ଼ି ଯାଇ ତାଙ୍କୁ ଆଣି ଶୁଆଇ ବିଞ୍ଛା ବିଞ୍ଚି କଲେ । କାରଣ ପ୍ରବଳ ଗୁଳୁଗୁଳି ହେଉଥିଲା । ଦେହରୁ ଗମ୍ ଗମ୍ ଝାଳ ବାହାରୁଥିଲା । ସମସ୍ତେ ଭାବିଲେ ବୋଧହୁଏ ଅତ୍ୟଧିକ ଗରମ ଯୋଗୁଁ ଏମିତି ହେଲା । ହେଲେ ଯେତେ ଚେଷ୍ଟା କଲେ ସେମିତି ସଜ୍ଞାହୀନ ହୋଇ ପଡ଼ି ରହିଲେ ନୃତ୍ୟଗୁରୁ । ପ୍ରଥମେ ଘରୋଇ ହସ୍ପିଟାଲକୁ ତାପରେ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କୁ ନିଆଗଲା । ଡାକ୍ତର କିନ୍ତୁ ତାଙ୍କୁ ମୃତ ଘୋଷଣା କଲେ ।
ସବୁ ଦିନ ପାଇଁ ଅନ୍ତର୍ଜାତୀୟ ନୃତ୍ୟ କଳା ଜଗତ ହରାଇ ବସିଲା ଜଣେ ସୁଦକ୍ଷ ନୃତ୍ୟ କଳାକାରଙ୍କୁ । ଜଣେ ବିଦେଶୀ ନାଗରିକ ହୋଇଥିବାରୁ କିଛି ଆଇନଗତ ଔପଚାରିକତା ଥିଲା । ଓଡିଶା ପୋଲିସ କରି ସେସବୁ କାମ ଶବ ବ୍ୟବଚ୍ଛେଦ କରାଇଲେ । ତାପରେ କଫିନ ଭିତରେ ପ୍ୟାକିଙ୍ଗ କରି ମରଶରୀରକୁ ମାଲେସିୟା କୁଆଲାଲୁମ୍ପୁର ପଠାଇବାର ବନ୍ଦୋବସ୍ତ କଲେ । ଗଣେଶନଙ୍କ ଭାଇ ତାଙ୍କର ସମ୍ପର୍କୀୟଙ୍କୁ ପଠାଇଲେ । ସେ ହେଉଛନ୍ତି ଲୋକନାଥ ମହାନ୍ତି । ତାଙ୍କୁ ଗୁରୁ ଗଣେଶନଙ୍କ ମରଶରୀର ହସ୍ତାନ୍ତର କରାଗଲା । ସେ ନୃତ୍ୟ ଗୁରୁ ଗଣେଶନଙ୍କ ମରଶରୀରକୁ ନେଇ ଆଜି ସକାଳେ ବିମାନ ଯୋଗେ ଦିଲ୍ଲୀ ତାପରେ ମାଲେସିୟା ଯାଇଛନ୍ତି ।
ଏଭଳି ଜଣେ ବିଶିଷ୍ଟ ନୃତ୍ୟ ଗୁରୁଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ । ସେ କହୁଥିଲେ ମଞ୍ଚ ମୋ ଜୀବନ, ଏଇ ମଞ୍ଚରେ ହିଁ ମୋ ଜୀବନ ଯାଉ । ଆଉ ତାହାହିଁ ସତ ହେଲା । ସେହି ନୃତ୍ୟ ମଞ୍ଚରେ ଦୀପ ଜଳାଉ ଜଳାଉ ଜୀବନ ଦୀପ ଲିଭିଗଲା ନୃତ୍ୟୁଗୁରୁ ଗଣେଶନଙ୍କର ।