ନିଖୋଜ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

କଟକ: ଗତମାସ ୨୫ ତାରିଖ ଠାରୁ ନିଖୋଜ ହୋଇଥିବା ବିହାରୀ ଯୁବକଙ୍କ ମୃତଦେହ ଆଜି ଅପରାହ୍ନରେ କଟକର ମହାନଦୀ ପଠାରୁ ଉଦ୍ଧାର ହୋଇଛି। ପୁଲିସ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। କଟକ ବିଡାନାସୀ ଥାନା ଅନ୍ତର୍ଗତ ଭୁଆଶୁଣୀ ନିକଟ ମହାନଦୀ ପଠାରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ତେବେ ମୃତ ଯୁବକର ନାଁ ଆଜାଦ ଯାଦବ (୨୮) ଓ ସେ ବିହାର ନିବାସୀ ହୋଇଥିବା ବେଳେ ଫେବ୍ରୁଆରି ୨୫ ତାରିଖରେ ଭୁବନେଶ୍ବରରୁ ନିଖୋଜ ଥିଲା ବୋଲି ପୁଲିସ କହିଛି। ଆଜାଦଙ୍କ ନିଖୋଜ ନେଇ ଗତ ୨୬ ତାରିଖରେ ସହିଦନଗର ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ।

ପୁଲିସ କହିବା ଅନୁସାରେ ଆଜାଦ ଯାଦବ ଇଣ୍ଟେରିୟର କାମ କରୁଥିଲା। ନିକଟରେ ତାଙ୍କୁ ଜଣେ କଟକର ଠିକାଦାର ଡାକିଥିଲେ। ତେବେ ଠିକାଦାରଙ୍କ ପାଖରେ ଆଜାଦଙ୍କ କିଛି ବାକି ଟଙ୍କା ଥିବା ଅଭିଯୋଗ ହୋଇଛି। ଠିକାଦାରଙ୍କ ଠାରୁ ବାକି ଟଙ୍କା ଆଣିବା ପାଇଁ ବୋଧେ ଆଜାଦ କଟକ ଯାଇଥିଲେ। କିନ୍ତୁ ଘଟଣା ଦିନ ସେ ଆଉ ଫେରି ନଥିଲେ। ମୃତଦେହ ମହାନଦୀ ପଠାରୁ ଉଦ୍ଧାର ହୋଇଥିବା ବେଳେ ମୁଣ୍ଡକୁ ଛେଚା ଯାଇଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। କିନ୍ତୁ ମୃତଦେହର ପାରିପାର୍ଶ୍ବିକ ଅବସ୍ଥା ଯାହା କହୁଛି, ଆଜାଦଙ୍କୁ ହତ୍ୟା କରାଯାଇଛି।

Spread the love