ଗାଁକୁ ପଶି ଆସିଥିଲା ହରିଣ, ମାରିଦେଲେ ଲୋକେ

ରାଇରଙ୍ଗପୁର, ୦୧/୦୬: ଲକ୍ ଡାଉନ ସଟ ଡାଉନରେ ରାସ୍ତାଘାଟ ଶୁନଶାନ ରହୁଛି । ଏହାର ସୁଯୋଗ ନେଉଛନ୍ତି ଶିକାରୀ । ଜଙ୍ଗଲରେ ଦଳ ଦଳ ଶିକାରୀ ବୁଲୁଥିଲା ବେଳେ ବନ୍ୟଜନ୍ତୁ ହେଉଛନ୍ତି ଗାଁ ମୁହାଁ । ଜଙ୍ଗଲରୁ ଗାଁକୁ ପଶି ଆସିଥିବା ଏକ ହରିଣକୁ ପଥରରେ ଛେଚି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ରାଇରଙ୍ଗପୁର ବନଖଣ୍ଡର ରାଇରଙ୍ଗପୁର ରେଞ୍ଜ ଯୋଡ଼ା ପୋଖରୀ ଗ୍ରାମରେ ଏକ ହରିଣ ପଶି ଆସିବା ଓ ତାକୁ ମାରି ମାଂସ ବଣ୍ଟା ହେବା ଯୋଜନାର ଖବର ପାଇଥିଲା ବନ ବିଭାଗ । ଗ୍ରାମାଞ୍ଚଳ ଥାନା ସହାୟତାରେ ଯୋଡ଼ା ପୋଖରୀ ଗ୍ରାମରେ ଚଢ଼ାଉ କରିଥିଲେ ବନବିଭାଗ କର୍ମଚାରୀ ।

ତେବେ ପୋଲିସ ଓ ବନ କର୍ମଚାରୀଙ୍କୁ ଦେଖି ଲୋକେ ଫେରାର ହୋଇ ଯାଇଥିଲେ ବି ମୃତ ହରିଣକୁ ଲକ୍ଷ୍ମଣ ଟୁଡୁ ନାମକ ବ୍ୟକ୍ତିଙ୍କ ଘରୁ ଜବତ କରିଛି ବନ ବିଭାଗ । ହରିଣଟି ସାଢେ ଚାରିଫୁଟ ଲମ୍ବା ଓ ଅଢେଇ ଫୁଟ ଉଚ୍ଚତା ଥିବାବେଳେ ଓଜନ ପ୍ରାୟ ବାର କି.ଗ୍ରା. ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Spread the love