ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇ ୬ଗିରଫ

ଦିଲ୍ଲୀରେ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ପୁଣି ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ପୁରା ଦିଲ୍ଲୀରେ କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇଛନ୍ତି । ଏଭଳି ଆପତ୍ତି ଜନକ ପୋଷ୍ଟରକୁ ନେଇ ଆକ୍ସନମୋଡକୁ ଆସିଛି ଦିଲ୍ଲୀ ପୋଲିସ । ପୋଲିସ ତରଫରୁ ଏହି ପୋଷ୍ଟରଗୁଡିକୁ ହଟାଯିବା ସହ ୧୦୦ ଜଣଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଏହାସହ ଏହି ମାମଲାରେ ସଂପୃକ୍ତ ଥିବା ଦର୍ଶାଇ ୬ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ କମିଶନର ଦିପେନ୍ଦ୍ର ପାଠକ ଏଏନଆଇକୁ ଦେଇଥିବା ସୂଚନା ମୁତାବକ ପ୍ରିଟିଂପ୍ରେସ ଓ ସମ୍ପତ୍ତି ଅଧିନିୟମ ଆଧାରରେ ସେମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଲ୍ଲୀରେ ୫୦ ହଜାର ପୋଷ୍ଟର ଲଗାଇବାକୁ ଯୋଜନା କରାଯାଇଥିବା କଥା ପୋଲିସ କହିଛି ।

ପୋଲିସ କମିଶନର ଦିପେନ୍ଦ୍ର ପାଠକ କହିଛନ୍ତି କି, ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରୁ ବାହାରୁ ଥିବା ଏକ ଭ୍ୟାନରୁ ବି ପୋଷ୍ଟର ଜବତ କରାଯାଇଛି । ଏହାସହ ଭ୍ୟାନରେ ଥିବା ଡ୍ରାଇଭର ଓ ଅନ୍ୟମାନଙ୍କୁ ଗିରଫ କରାଯାଇଛି । ଏହାସହ ପୋଷ୍ଟର ଲଗାଉଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରାଯାଇଛି ।

ସୂଚନା ଥାଉକି ଗତକାଲି ଠାରୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟର । ଏହି ଖବର ପୋଲିସ ନିକଟରେ ପହଂଚିବା ପରେ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ୨ହଜାରରୁ ଅଧିକ ପୋଷ୍ଟର ହଟାଇ ଦେଇଛି ।

Spread the love