ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’ ସଚେତନତା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ଜଳ ସଂରକ୍ଷଣ ଏବଂ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’ ତଥା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରାଯାଉ । ଦେଶର ଦୁଇଟି ଜ୍ୱଳନ୍ତ ସମସ୍ୟା ଜଳ ସଂରକ୍ଷଣ ଓ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ୬୯ତମ  ଜନ୍ମଦିନର ସବୁଠୁ ପ୍ରିୟ ଉପହାର ହେବ ବୋଲି ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ  ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଏକ ନୂଆ ଜାଗରଣ ତିଆରି କରିପାରିଛନ୍ତି ଓ ଓଡିଶା ଭଳି ରାଜ୍ୟକୁ ବିଶେଷ ଧ୍ୟାନ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦେଶ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ସେବା ସପ୍ତାହ ପାଳନ କରୁଛି । ସାଂପ୍ରତିକ ସମୟରେ ଦେଶର ଦୁଇଟି ଜ୍ୱଳନ୍ତ ସମସ୍ୟା ଯଥା ଜଳ ଓ ପ୍ଲାଷ୍ଟିକ୍ ବ୍ୟବହାର ଲୋକମାନଙ୍କୁ ଚିନ୍ତାରେ ପକାଇଛି । ଦେଶରେ ଜଳ ସଂରକ୍ଷଣ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି ।

ତେଣୁ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଜଳକୁ ସୂଚାରୁରୂପେ ବ୍ୟବହାର କରିବା ତଥା ଜଳ ସଂରକ୍ଷଣ କରିବା ପାଇଁ ସଙ୍କଳ୍ପ କରିବାକୁ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶର ଅନ୍ୟ ଗୋଟିଏ ପ୍ରମୁଖ ସମସ୍ୟା ପ୍ଲାଷ୍ଟିକ୍ ବ୍ୟବହାର ଚିନ୍ତାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ ପ୍ଲାଷ୍ଟିକ୍ ବର୍ଜନ ତଥା ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’ର ବ୍ୟବହାରକୁ ଧୀରେ ଧୀରେ କମ୍ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ’ର ବ୍ୟବହାର ଶହଶହ ବର୍ଷ ହୋଇଥିବା ବେଳେ ସଂପ୍ରତି ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ପରିବେଶକୁ ଦୂଷିତ କରୁଛି । ଏହା ଦ୍ୱାରା ବିଶେଷ ଭାବରେ ଭାରତବର୍ଷର ପଶୁ ସମ୍ପଦ ପ୍ରଭାବିତ ହେଉଛନ୍ତିା ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଜଳାଶୟରେ ପାଣି ପ୍ରବାହରେ ମଧ୍ୟ କୁପ୍ରଭାବ ମଧ୍ୟ ପକାଉଛି ।  ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ  ଜଣାଇ ଦେଶବାସୀ ଏକାଠୀ ହୁଅନ୍ତୁ ଏବଂ ଆଜିଠାରୁ ଦୀପାବଳୀ ପର୍ଯ୍ୟନ୍ତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକକୁ ଏକାଠୀ କରି ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଏକ ନୂଆ ଜାଗରଣ ତିଆରି  କରିପାରିଛନ୍ତି । ବିଶ୍ୱରେ ଭାରତର ଗୌରବ ବଢାଇ ପାରିଛନ୍ତି ଓ ଓଡିଶା ଭଳି ରାଜ୍ୟକୁ ବିଶେଷ ଧ୍ୟାନ  ଦେଉଛନ୍ତି । ସେହିଭଳି ଆଗକୁ ମଧ୍ୟ ଲୋକମାନଙ୍କର ସେବା ଓ ଦାୟିତ୍ୱ ନେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

Spread the love