ବିଶିଷ୍ଟ ସମାଜତତ୍ୱବିତ୍ଙ୍କ ସୋଆ ବିଶ୍ୱବିଦ୍ୟାଳୟରେ ଯୋଗଦାନ
ଭୁବନେଶ୍ୱର, ମାର୍ଚ୍ଚ ୧୮ : ବିଶିଷ୍ଟ ସମାଜତତ୍ୱବିତ୍ ତଥା ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି ସୋଆ ଡିମ୍ଡ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ ସାଇନସ୍ ରିସର୍ଚ୍ଚ (ଆଇସିଏସ୍ଏସ୍ଆର୍) ସିନିୟର ଫେଲୋ ଭାବେ ଯୋଗ ଦେଇଛନ୍ତି । କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜତତ୍ୱ ସ୍ନାତକୋତର ବିଭାଗର ପ୍ରତିଷ୍ଠାତା ପ୍ରଫେସର ମହାନ୍ତି ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ସମାଜତତ୍ୱରେ ଏମ୍.ଏ. ଉପାଧି ଲାଭ କରିବା ପରେ ମିରଟ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନସଡ ଷ୍ଟଡିଜ୍ରୁ ଏମ୍.ଫିଲ ଓ ପିଏଚ୍ଡି ଲାଭ କରିଥିଲେ । ପରବର୍ତୀ କାଳରେ ସେ ଇଂଲଣ୍ଡ ସ୍ଥିତ ନଟିଂହାମ୍ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଡକ୍ଟରେଟ କରିଥିଲେ । ସେ କ୍ରିମିନୋଲୋଜି, ଅର୍ବାନ ଷ୍ଟଡିଜ୍, ଜେଣ୍ଡର ଓ ଜୁଭେନାଇଲ ଜଷ୍ଟିସ, ଟ୍ରାଇବାଲ ଷ୍ଟଡିଜ ଓ କଲଚରାଲ ହେରିଟେଜ୍ ଏବଂ ଡିଜଆବିଲିଟି ଷ୍ଟଡିଜ ବିଷୟ ଗୁଡିକ ଉପରେ ବିଶେଷ ଅଧ୍ୟୟନ କରିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ମଧ୍ୟ ଲାଭ କରିଛନ୍ତି । ପ୍ରଫେସର ମହାନ୍ତି ୨୦୦୮ ନଭେମ୍ବରରୁ ୨୦୧୬ ଫେବୃୟାରୀ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟେଟ ପୋଲିସ୍ ଏକାଡେମୀରେ କାର୍ଯ୍ୟ କରିଥିଲେ । ଭାରତୀୟ ପୋଲିସ ବ୍ୟବସ୍ଥା, କ୍ରିମିନୋଲଜି ଓ କମ୍ୟୁନିଟି ପୋଲିସିଂ ଉପରେ ତାଙ୍କର ୪ଟି ପୁସ୍ତକ ପ୍ରକାଶ ପାଇଛି । ଏହି ଏକାଡେମୀରେ କାର୍ଯ୍ୟ କରିବା ସମୟରେ ସେ ଆରଟିଆଇ ବ୍ୟବସ୍ଥା ଉପରେ ଏକ ଟ୍ରେନିଂ ମାନୁଆଲ୍ ପ୍ରସ୍ତୁତ କରିଥିଲେ । ମାର୍ଚ୍ଚ ୧୯୯୭ରୁ ଅଗଷ୍ଟ ୨୦୦୦ ପର୍ଯ୍ୟନ୍ତ ସେ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଭାବେ କାର୍ଯ୍ୟ କରିଥିଲେ ।
