ବୁଝୁନି ବାପାର ମନ… ମଲା ଛୁଆକୁ କହୁଛି ବଂଚିଛି

“ମୋ’ ଛୁଆ ବଞ୍ଚିଛି। ମୋତେ ଛାଡ଼ି ଦିଅ ଗାଁକୁ ନେଇଯିବି। ସେଠାରେ ଚେରମୂଳି ଔଷଧ ଦେଲେ ମୋ’ ପୁଅ ଭଲ ହୋଇଯିବ।” ଇଏ ହେଉଛି ଜଣେ ଅସହାୟ ବାପାର ଆକୁଳ ନିବେଦନ। ମେଡିକାଲ୍‌ରେ ଡାକ୍ତର ମୃତ ବୋଲି ଘୋଷଣା କରିବା ପରେ ନିଜ ପିଲାକୁ ଘରକୁ ନେବା ପାଇଁ ପୁଲିସ ପାଖରେ ହାତ ଯୋଡ଼ି କାକୁତି ମିନତି ହେଉଛନ୍ତି ରାୟଗଡ଼ା ଜିଲ୍ଲା ପିତାମହଲ ଗାଁର ଜଗନ ଲିମା। ପିତାମହଲ ଗାଁର ଜଗନ ଲିମାଙ୍କ ୫ ବର୍ଷର ପୁଅ ଖେଳୁଥିଲା। ଏହି ସମୟରେ ତାକୁ ଏକ ବିଷାକ୍ତ ସାପ ଦଂଶନ କରିଥିଲା। ପରିବାର ଲୋକେ ଜାଣିପାରି ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହା ପରେ ମେଡିକାଲ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ମୃତ ଶିଶୁକୁ ଘରକୁ ନେବା ପାଇଁ ଜିଦ୍‌ ଧରି ବସିଥିଲେ। ମାତ୍ର ମେଡିକାଲ୍‌ କର୍ତ୍ତୃପକ୍ଷ ମୃତଶିଶୁକୁ ଛାଡ଼ି ନଥିଲେ।

ଖବର ପାଇଁ ପୁଲିସ ଡାକ୍ତରଖାନାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ନିଜ ପିଲାକୁ ଅଟୋରେ ଘରକୁ ନେବା ପାଇଁ ପରିବାର ଲୋକେ ଅଡି ବସିଥିଲେ। ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପୁଲିସ ସମ୍ମୁଖରେ ନିଜ ପିଲାକୁ ଏକ ଅଟୋରେ ଗାଁକୁ ନେଇଯାଇଥିଲେ। ଜଗନଙ୍କ ବିଶ୍ୱାସ, ଚେରମୂଳି ଔଷଧ ଦେଲେ ପିଲା ଭଲ ହୋଇଯିବ।*

ଜଗନ କହିଛନ୍ତି-“ମେଡିକାଲ୍‌ରେ ଡାକ୍ତର କି ନର୍ସ ନଥିଲେ। ନୂଆ ନର୍ସମାନେ ମୋ ପୁଅକୁ ଚିକିତ୍ସା କରିଥିଲେ। ଇଞ୍ଜେକ୍‌ସନ୍‌ ଦେବାର କିଛି ସମୟ ପରେ କହିଲେ ମୋ ପୁଅ ମରିଗଲା। ମୁଁ ସେମାନଙ୍କୁ କହିଲି, ମୋ ପୁଅକୁ ଗାଁକୁ ନେଇଯିବି। ସେଠାରେ ଚେରମୂଳି ଔଷଧ ଦେଲେ ଭଲ ହୋଇଯିବ। ଯଦି ଭଲ ନହୁଏ, ପୋତିଦେବୁ। ଏହା ସତ୍ତ୍ୱେ ସେମାନେ ମୋ ପୁଅକୁ ଛାଡ଼ୁ ନାହାନ୍ତି।”

 

Spread the love