କିଟ୍ ଓ କିସ୍‌ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ ଦିଆଯିବ ମାଗଣାରେ କରୋନା ଟିକା, ଘୋଷଣା କଲେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା

କିଟ୍ ଅନୁଷ୍ଠାନ ସମୂହ ଓ କିସ୍‌ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍ ପକ୍ଷରୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ଘୋଷଣା କରିଛନ୍ତି କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ। ସୋମବାର କିଟ୍ ଓ କିସ୍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ନୂଆ ଦିଲ୍ଲୀରୁ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେଇ କହିଥିଲେ, ମହିଳାମାନେ ଯେତେ ସଶକ୍ତ ହେବେ ସମାଜ, ରାଜ୍ୟ ଓ ଦେଶ ସେତେ ପ୍ରଗତି କରିବ। ସେ କହିଥିଲେ, କିଟ୍ ଓ କିସ୍‌ର ଅଗ୍ରଗତିରେ ମହିଳା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ସମସ୍ତ ମହିଳା କର୍ମଚାରୀଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ।dr achyuta samanta1
କିଟ୍ ଓ କିସ୍‌ରେ ମହିଳାଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦିଆଯିବାଠାରୁ ଆରମ୍ଭ କରି ଅନେକ ଉଚ୍ଚ ଓ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ ସମ୍ପାଦନ ପାଇଁ ସୁଯୋଗ ଦିଆଯାଇଛି। ଏହି ଅବସରରେ କିଟ୍‌, କିସ୍ ଓ କିମ୍‌ସର ସମସ୍ତ ମହିଳା କର୍ମଚାରୀଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ ବୋଲି ଡ. ସାମନ୍ତ ଘୋଷଣା କରିବା ସହ ଟିକା ବାବଦ ସମସ୍ତ ଅର୍ଥ କିଟ୍ ବହନ କରିବ ବୋଲି କହିଥିଲେ। ଏହା ସହିତ କିଟ୍‌ରେ ଏକ ମହିଳା ଫୋରମ ପ୍ରତିଷ୍ଠା କରାଯିବ ବୋଲି ଡ. ସାମନ୍ତ ଘୋଷଣା କରିଥିଲେ। ଯେ ପର୍ଯ୍ୟନ୍ତ ମହିଳାମାନଙ୍କୁ ଅଗ୍ରାଧିକାର ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ବିକାଶ କଥା ଚିନ୍ତା କରାଯାଇ ପାରିବ ନାହିଁ। ମହିଳା ସଶକ୍ତୀକରଣ ମୂଳରେ ଶିକ୍ଷା ନିହାତି ଅପରିହାର୍ଯ୍ୟ ବୋଲି ଡ. ସାମନ୍ତ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ତଥା ଭାରତୀୟ ସ୍କାଉଟ୍ ଓ ଗାଇଡ୍‌ର ରାଷ୍ଟ୍ରୀୟ କମିଶନର-ରେଞ୍ଜରସ ଡ. ପଙ୍କଜ ମିତ୍ତଲ କହିଥିଲେ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ୍‌, କଲେଜ ଓ ବିଶ୍ଵବିଦ୍ୟାଳୟ ଖୋଲାଯାଇଥିବାରୁ ଅଧକ ସଂଖ୍ୟକ ଛାତ୍ରୀ ଶିକ୍ଷାଲାଭ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ମହିଳାଙ୍କୁ ସଶକ୍ତୀକରଣ କରିବା ପାଇଁ ସଚେତନତା ଆବଶ୍ୟକ ଏବଂ ସେମାନଙ୍କୁ ସୁଯୋଗ ଦିଆଗଲେ ସେମାନେ ଏହାର ସଦୁପଯୋଗ କରିପାରିବେ ବୋଲି ଡ. ମିତ୍ତଲ କହିଥିଲେ। ତେବେ କେବଳ ବର୍ଷର ଗୋଟିଏ ଦିନକୁ ମହିଳା ଦିବସ ଭାବେ ପାଳନ ନ କରି ବର୍ଷ ତମାମ ମହିଳା ଦିବସର ତାତ୍ପର୍ଯ୍ୟ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଥିଲେ।
କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ମହିଳାଙ୍କୁ ଶିକ୍ଷା ଓ ଉପଯୁକ୍ତ ସୁଯୋଗ ତଥା ସତେଚନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।..

Spread the love