ଇସ୍ରାଏଲ ପରେ ଆମେରିକା ମାସ୍କ ଉପରୁ କଟକଣା ହଟାଇଲା

କରୋନାରେ ସର୍ବାଧିକ କ୍ଷତି ହୋଇଥିବା ଦେଶ ହେଉଛି ଆମେରିକା। ଏବେ ଏହି ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ଘୋଷଣା କରିଛନ୍ତି। ଯାହାକି ଦେଶବାସୀଙ୍କୁ ଆଶ୍ୱସ୍ତି ଦେଇଛି। ସେ କହିଛନ୍ତି ଯେଉଁମାନେ ଦୁଇଟି ଟିକା ନେଇସାରିଛନ୍ତି ସେମାନେ ବିନା ମାସ୍କରେ ବାହାରକୁ ବାହାରି ପାରିବେ। ଆଉ ସେ ଯେହେତୁ ଦୁଇଟି ଯାକ ଟିକା ନେଇ ସାରିଛନ୍ତି ତେଣୁ ଆଜି ଏହି ଘୋଷଣା କରିବା ବେଳେ ବିନା ମାସ୍କରେ ମିଡିଆ ଆଗକୁ ଆସିଥିଲେ। ଖାଲି ଏତିକି ନୁହେଁ ସାମାଜିକ ଦୂରତା ରକ୍ଷା କରିବା ଉପରେ ମଧ୍ୟ ଥିବା କଟକଣାକୁ ହଟାଇଛନ୍ତି ସରକାର। ଏପରି କରି ମାସ୍କ ଉପରୁ ପ୍ରତିବନ୍ଧକ ହଟାଇବା ଦେଶ ମଧ୍ୟରେ ଆମେରିକା ବିଶ୍ୱରେ ଦ୍ୱିତୀୟ ଦେଶ ହୋଇଛି। ପ୍ରଥମେ ଇସ୍ରାଏଲ ମାସ୍କ ଉପରୁ କଟକଣା ହଟାଇଛି।

ଆମେରିକାର ସେଣ୍ଟର ଫର ଡିଜିଜ କହିଛି ଯେ ଦେଶରେ ଏକ ବୃହତ ଜନସଂଖ୍ୟାର ଟିକାକରଣ କରାଯାଇଛି। ତଥାପି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା। ସିଡିସିର ଏହି ଘୋଷଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍ ଗୁରୁବାର ରୋଜ ଗାର୍ଡେନରେ ସାମ୍ବାଦିକମାନଙ୍କ ସହ ଏ ବାବଦରେ କଥା ହୋଇଥିଲେ। ଆଉ ଉଭୟ ବିନା ମାସ୍କରେ ଥିଲେ। ଏହି ସମୟରେ ବାଇଡେନ କହିଛନ୍ତି, ଏହା ଏକ ବଡ ସଫଳତା। ଆଜି ଆମେରିକା ପାଇଁ ଗୋଟିଏ ବଡ ଦିନ। ଦେଶରେ ଯେହେତୁ ଅଧିକାଂଶ ଲୋକ ଟିକା ନେଇ ସାରିଲେଣି ତେଣୁ ସିଡିସି ମାସ୍କ ଉପରୁ ସର୍ତ୍ତମୂଳକ ପ୍ରତିବନ୍ଧକ ହଟାଇବାକୁ କହିଛି।

Spread the love