କଟକରେ ନାବାଳିକାଙ୍କୁ ୨୨ ଦିନ ଗଣଦୁଷ୍କର୍ମ

କଟକ, ୧୪/୧୦: କଟକରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି। ଚାଉଳିଆଗଞ୍ଜ ଗତିରାଉତ ପାଟଣାରେ ଏକ ଜଂଗଲିଆ ଅଞ୍ଚଳରେ ଥିବା ଘରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଜଣେ କୁକୁଡ଼ା ଦୋକାନୀ ଏବଂ ସହଯୋଗୀ ଯୁବକ ୨୨ ଦିନ କାଳ ଏକ ଘରେ ଅଟକ ରଖି ଗଣଦୁଷ୍କର୍ମ କରିଆସୁଥିଲେ। ଓଏମ୍‌ପି ବସ୍‌ଷ୍ଟାଣ୍ଡ ନିକଟରୁ ଛାତ୍ରୀଙ୍କୁ ଟେକିନେଇ ଏଭଳି କାଣ୍ଡ ଘଟାଇ ଆସୁଥିଲେ। ଏହି ଅନୈତିକ କାରବାରର ଭିଡିଓ ବି ଯୁବକଦ୍ବୟ ମୋବାଇଲରେ ରେକର୍ଡ କରି ପୀଡ଼ିତାଙ୍କୁ ଭୟଭୀତ କରାଉଥିଲେ। ଏଭଳି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବାକୁ ଚେତାବନୀ ଦେଇଥିଲେ। ଏଭଳି ଘଟଣା ସମ୍ପର୍କରେ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଦୁଇ ଦୁର୍ବୃତ୍ତଙ୍କ ବିରୋଧରେ ଏତଲା ଦିଆଯାଇଛି। ସେହି ଘରେ କିଛି କଲେଜ ଛାତ୍ରୀଙ୍କୁ ବି ରଖି ଗଣଦୁଷ୍କର୍ମ କରାଯାଉଥିବା ପୀଡ଼ିତା ବୟାନ ଦେଇଛନ୍ତି। ତେବେ ଏଭଳି କାରବାର ପଛରେ ଏକ ଗ୍ୟାଙ୍ଗ୍ କାମ କରୁଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗରାମ ପଞ୍ଚାୟତର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ମାରଧର ଓ ଗାଳିଗୁଲଜ କରିବାରୁ ସେ ଏକମାସ ତଳେ ଘରୁ କଟକ ଚାଲିଆସିଥିଲେ। ପ୍ରଫେସରପଡ଼ାରେ ଥିବା ବଡ଼ ଭଉଣୀଙ୍କ ନିକଟରେ ରହୁଥିଲେ। ବଡ଼ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ବଡ଼ ଭଉଣୀ ତାଙ୍କୁ ଘରକୁ ଫେରିଯିବାକୁ କହିଥିଲା। ତେଣୁ ନାବାଳିକାଜଣକ ଘରକୁ ଫେରିବା ପାଇଁ ଓଏମ୍‌ପି ଛକ ନିକଟରେ ବସ୍‌କୁ ଅପେକ୍ଷା କରିଥିଲେ। ଜଣେ ଯୁବକ ସେଠାରେ ପହଞ୍ଚି ବିଭିନ୍ନ ପ୍ରଲୋଭନ ଦେଖାଇ ବାଦାମବାଡ଼ି ନେଇ ଆସିଥିଲା। ନାବାଳିକାଜଣକ ଘରକୁ ଫେରିବାକୁ ବ୍ୟସ୍ତ ହେବାରୁ ସମ୍ପୃକ୍ତ ଯୁବକ ତାଙ୍କୁ ଘରେ ଛାଡ଼ିଦେବ କହି ଗତିରାଉତପାଟଣାରେ ଥିବା ଏକ ଚିକେନ୍ ଦୋକାନକୁ ନେଇଯାଇଥିଲା। ସେଠାରେ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ନିକଟରେ ଜଗଂଲିଆ ଅଞ୍ଚଳରେ ଥିବା ଆଉ ଏକ ଘରକୁ ନେଇ ସେଠାରେ ବି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଭିଡିଓ ଆଉ ଜଣେ ବନ୍ଧୁ ନିଜ ମୋବାଇଲରେ ରେକର୍ଡ କରିଥିଲା।

ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଏହି ଅଶ୍ଳୀଳ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଦେବା ନେଇ ଯୁବକଦ୍ବୟ ଧମକ ଦେଇଥିଲେ। ୨୨ ଦିନ କାଳ ଦୁଇ ଯୁବକ ସମ୍ପୃକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଆସିଥିଲେ। ଗଲା ୧୨ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏରେ ଚାଉଳିଆଗଞ୍ଜ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଫାର୍ମରୁ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନରେ ଛାଡ଼ିଥିଲା। ୧୩ ତାରିଖରେ ସିଡବ୍ଲୁସିରେ ପୀଡ଼ିତା ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି।
ଘରେ ବାପାଙ୍କ ନିର୍ଯାତନା ଓ ଗତିରାଉତପାଟଣାରେ କୁକୁଡ଼ା ଦୋକାନ ୨୨ ଦିନ କାଳ ଗଣଦୁଷ୍କର୍ମ ଘଟଣା ସିଡବ୍ଲୁସି ଜାଣିବା ପରେ ଚାଇଲ୍ଡ୍‌ଲାଇନ୍ ସଂଯୋଜକ ନାରାୟଣ ଶୁକ୍ଳାଙ୍କୁ ଏ ସଂକ୍ରାନ୍ତରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଶ୍ରୀ ଶୁକ୍ଳା ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି। ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେମାଙ୍କ କହିବା ଅନୁଯାୟୀ, ସିଡବ୍ଲୁସିରେ ଏହି ନବମ ଶ୍ରେଣୀ ଛାତ୍ରୀର ବୟାନ ରେକର୍ଡ ପରେ ତାଙ୍କୁ ଦୁଇଜଣ ଯୁବକ ୨୨ ଦିନ କାଳ ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା। ଯେଉଁଠି ଏହି ନାବାଳିକା ରହିଥିଲେ ସେଠାକୁ କିଛି କଲେଜ ଛାତ୍ରୀ ବି ଆସୁଥିଲେ। ଯୁବକଦ୍ବୟ ସେମାନଙ୍କ ସହିତ ବି ଅନୈତିକ ସମ୍ପର୍କ ରଖିଥିବା ପୀଡ଼ିତା ବୟାନ ଦେଇଛନ୍ତି।

Spread the love