ପୁଲିସକୁ ମାଡ଼ ମାରିବା ଅଭିଯୋଗରେ ପୂର୍ବତନ ପୌର ଉପାଧ୍ୟକ୍ଷ ଗିରଫ

ଏଥର ଘସିପୁରାରେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ୍ ନେତା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହାଁମୁହିଁ ହେବାକୁ ଯାଉଛନ୍ତି। ତେବେ ଭୋଟ ପୂର୍ବରୁ ଘସିପୁରା ରାଜନୀତି ସରଗରମ୍ ହୋଇ ଉଠିଛି। ଥାନାରେ ପଶି ପୁଲିସକୁ ମାଡ଼ ମାରିବା ଅଭିଯୋଗରେ ଘସିପୁରା ପୁଲିସ ଆନନ୍ଦପୁର ମ୍ୟୁନିସିପାଲିଟିର ପୂର୍ବତନ ପୌରାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ସାନ ଭାଇ ସାମ୍ବାଦିକ ଜିତେନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଶାସକ ଦଳ ଚାପରେ ମିଛ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ବୋଲି ସୁରେଶ କହିଛନ୍ତି। ପୁଲିସର ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ଘସିପୁରା ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଛି।

ଘସିପୁରା ଅଷ୍ଟପ୍ରହର ନାମଯଜ୍ଞ ସ୍ଥଳରେ ସୁରେଶଙ୍କ ସାନଭାଇ ରାଜେନ୍ଦ୍ର ଉପସ୍ଥିତ ଥିଲେ। ଶୁକ୍ରବାର ବିଳମ୍ବ୍ଖଚ୍ଛ ରାତିରେ ଘସିପୁରା ଥାନା ଆଇଆଇସି ବିରଞ୍ଚି ବାଗ୍ ସେଠାକୁ ଯାଇ ରାଜେନ୍ଦ୍ରଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଖବର ପାଇ ସୁରେଶ ଓ ଜିତେନ୍ଦ୍ର ରାତି ପ୍ରାୟ ୧୨ଟା ବେଳେ ଥାନାରେ ପହଞ୍ଚିଥିଲେ। ରାଜେନ୍ଦ୍ରଙ୍କୁ ଥାନାକୁ କାହିଁକି ଅଣାଯାଇଛି ବୋଲି ଉଭୟ ଜଣେ ଏସ୍ଆଇଙ୍କୁ ପଚାରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କିଛି ସମୟ ପରେ ଆଇଆଇସି ଶ୍ରୀ ବାଗ୍ ଥାନାରେ ପହଞ୍ଚି ସୁରେଶ ଓ ଜିତେନ୍ଦ୍ରଙ୍କୁ ଅଟକ ରଖିଥିଲେ। ସକାଳୁ ଏଏସ୍ଆଇ ତ୍ରିଲୋଚନ ଦେହୁରୀଙ୍କ ଏତଲା କ୍ରମେ ସେମାନଙ୍କ ବିରୋଧରେ ବିଭିନ୍ନ ସଂଗିନ ଦଫାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଘସିପୁରା ଗ୍ରାମ୍ୟ ନ୍ୟାୟାଳୟରେ ସୁରେଶ ଓ ଜିତେନ୍ଦ୍ରଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

Spread the love