ରାଜ୍ୟର ନିର୍ବାଚନ କମିସନର୍‌ ରାଜ୍ୟ ସରକାରଙ୍କ ଅଧିକାରୀ ନୁହେଁ, ସ୍ୱାଧୀନ ବ୍ୟକ୍ତିବିଶେଷ ହେବା ଆବଶ୍ୟକ: ସୁପ୍ରିମ୍‌ କୋର୍ଟ

ଯେକୌଣସି ରାଜ୍ୟର ନିର୍ବାଚନ କମିସନର୍‌ ରାଜ୍ୟ ସରକାରଙ୍କ ଅଧିକାରୀ ନୁହେଁ, ସ୍ୱାଧୀନ ବ୍ୟକ୍ତିବିଶେଷ ହେବା ଆବଶ୍ୟକ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଗୋଆ ପୌର ନିର୍ବାଚନ ସମ୍ବନ୍ଧୀୟ ଏକ ମାମଲାର ବିଚାର କରି କହିଛନ୍ତି।
ପୌର ପରିଷଦ୍‌ ନିର୍ବାଚନର ପର୍ଯ୍ୟବେକ୍ଷଣ କରିବା ଲାଗି ଆଇନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତ କରିଥିବା ଗୋଆ ସରକାରଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଭର୍ତ୍ସନା କରିଛନ୍ତି।
ତିନି ବିଚାରପତିବିଶିଷ୍ଟ ଏକ ଖଣ୍ଡପୀଠର ନେତୃତ୍ୱ ନେଇଥିବା ବିଚାରପତି ରୋହିଙ୍ଗଟନ୍‌ ଫାଲି ନରିମାନ୍‌ କହିଛନ୍ତି, ଗଣତନ୍ତ୍ରରେ ନିର୍ବାଚନ କମିସନ୍‌ର ସ୍ୱାଧୀନତା ସହ ସାଲିସ କରାଯାଇ ପାରିବ ନାହିଁ। କ୍ଷମତାରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିସନର୍‌ ଭାବେ ଅତିରିକ୍ତ ଦାୟିତ୍ୱ ଦେବା ସମ୍ବିଧାନ ପ୍ରତି ବିଦ୍ରୂପ।
ଜଣେ ସରକାରୀ ଅଧିକାରୀ ସରକାରୀ ଚାକିରିରେ ଥାଇ ଗୋଆର ନିର୍ବାଚନ କମିସନର୍‌ ଦାୟିତ୍ୱରେ ରହିବା ଘଟଣାକୁ ଏକ ଗୋଳମାଳିଆ ବୈଶିଷ୍ଟ୍ୟ ବୋଲି ବିଚାରପତି ନରିମାନ୍‌ କହିଛନ୍ତି।

ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ନ ଥିବା କାରଣରୁ ହାଇକୋର୍ଟ ମାର୍ଗାଓ, ମାପୁସା, ମୋର୍ମୁଗାଓ, ସାଗୁଏମ୍‌ ଏବଂ କ୍ୱେପେମ୍‌ ଆଦି ୫ଟି ପୌରପାଳିକାରେ ନିର୍ବାଚନ ବାତିଲ କରିଥିଲେ। ଏହାକୁ ଚାଲେଞ୍ଜ୍‌ କରି ଗୋଆ ସରକାର ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ମହିଳା ଏବଂ ଅନୁସୂଚିତ ଜାତି ବର୍ଗଙ୍କ ନିମନ୍ତେ ମୁନିସ୍‌ପାଲ୍‌ ଓ୍ଵାର୍ଡରେ ଆସନ ସଂରକ୍ଷଣରେ ଅନିୟମିତତା ହୋଇଥିବା ଦର୍ଶାଇ ଆଗତ ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ୫ଟି ଅଞ୍ଚଳରେ ନିର୍ବାଚନ ବାତିଲ କରିବାକୁ ଆଦେଶ ଦେଇଥିଲେ।

Spread the love