ମସ୍‌ଜିଦ୍‌ କମିଟି ଆବେଦନ ଖାରଜ କଲେ ହାଇକୋର୍ଟ; ଜାରି ରହିବ ଜ୍ଞାନବାପି ମସ୍‌ଜିଦ୍‌ ସର୍ଭେ

ନୂଆଦିଲ୍ଲୀ: ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ସର୍ଭେ କରିବା ଲାଗି ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ (ଏସ୍‌ଆଇ) ବାରାଣସୀ କୋର୍ଟ ଦେଇଥିବା ଆଦେଶକୁ ଆଜି ଆହ୍ଲାବାଦ ହାଇକୋର୍ଟ କାଏମ ରଖିଛନ୍ତି। ପୁନର୍ବାର ତୁରନ୍ତ ସର୍ଭେ କାର୍ଯ୍ୟ ଚାଲୁ କରିବାକୁ ଆଦେଶ ଦେବା ସହିତ ହାଇକୋର୍ଟ ‘ଅଞ୍ଜୁମନ୍‌ ଇନ୍‌ତେଜାମିଆ ମସ୍‌ଜିଦ୍‌ କମିଟି’ ଆବେଦନକୁ ଖାରଜ କରିଛନ୍ତି। ଶୁଣାଇଥିବା ରାୟରେ ହାଇକୋର୍ଟ କହିଛନ୍ତି, ନ୍ୟାୟ ଦୃଷ୍ଟିରୁ ‘ଏଏସ୍‌ଆଇ’ ସର୍ଭେ ଆବଶ୍ୟକ ଏବଂ କିଛି ସର୍ତ୍ତାବଳି ସହିତ ସର୍ଭେ କାର୍ଯ୍ୟ କରାଯିବା ଉଚିତ। ଜ୍ଞାନବାପି ସର୍ଭେ ମାମଲାରେ ହିନ୍ଦୁଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓକିଲ ବିଷ୍ଣୁଶଙ୍କର ଜୈନ୍‌ ଗଣମାଧ୍ୟମକୁ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଏଏସ୍‌ଆଇ’ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇ ପାରିବ। ହାଇକୋର୍ଟ ସେସନ୍‌ସ୍‌ କୋର୍ଟ ଆଦେଶକୁ କାଏମ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟ ‘ଏଏସ୍‌ଆଇ’ ବିରୋଧରେ ଆଗତ ଆବେଦନର ଶୁଣାଣି ଜୁଲାଇ ୨୭ ତାରିଖ ଦିନ ଶେଷ କରି ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ। ପୂର୍ବରୁ ତୋଳାଯାଇଥିବା ମନ୍ଦିର ଉପରେ ମସ୍‌ଜିଦ୍‌ ନିର୍ମାଣ କରାଯାଇଛି କି, ନାହିଁ ସେ କଥା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ଉତ୍‌ଖନନ ସମେତ ସର୍ଭେ କରିବା ଲାଗି  ଜୁଲାଇ ୨୧ ତାରିଖ ଦିନ ବାରାଣସୀ ସେସନ୍‌ସ୍‌ କ‌ୋର୍ଟ ‘ଏଏସ୍‌ଆଇ’କୁ ନିର୍ଦେଶ ଦେଇଥିଲେ। ‘ଏଏସ୍‌ଆଇ’ ମଧ୍ୟ ଜୁଲାଇ ୨୪ ତାରିଖ ଦିନ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ, ମସ୍‌ଜିଦ୍‌ କମିଟି ଆବେଦନ କରିବାରୁ ସୁପ୍ରିମ୍‌ କ‌ୋର୍ଟ ସର୍ଭେ ବନ୍ଦ କରିବାକୁ ଆଦେଶ‌ ଦେବା ସହିତ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଆବେଦନ କରିବା ଲାଗି କମିଟିକୁ ନିର୍ଦେଶ ଦେଇଥିଲେ।

Spread the love