ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇପାରିବେନି କର୍ମଚାରୀ: ଓଡ଼ିଶା ହାଇକୋର୍ଟ

କଟକ : କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇବା ଏବଂ ବଦଳି ହେବାକୁ ନ ଚାହିଁବାର ଆଇନଗତ କିମ୍ବା ବୈଧାନିକ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ। ପଦୋନ୍ନତି ପାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହେବାକୁ ଚାହୁଁ ନ ଥିବା ଜଣେ ସହକାରୀ ଶିକ୍ଷକଙ୍କ ଆବେଦନକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ ରିଟ୍‌ ପିଟିଶନ ଖାରଜ କରିବା ଅବସରରେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀ ଲେଫ୍ରିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କର ପ୍ରଧାନଶିକ୍ଷକ ଭାବେ ଅନ୍ୟତ୍ର ବଦଳି ହୋଇଥିଲା। ଉକ୍ତ ସ୍ଥାନ ତାଙ୍କ ଘରଠାରୁ ୧୪୦ କିଲୋମିଟର ଦୂର। ତାଙ୍କର ଜଟିଳ ଆଣ୍ଠୁଗଣ୍ଠି ରୋଗ ଥିବାରୁ ଏତେଦୂର ଯାଇପାରିବେ ନାହିଁ କହି ପଦୋନ୍ନତି ବାତିଲ କରି ତାଙ୍କୁ ପୂର୍ବ ସ୍ଥାନରେ ରଖିବା ଲାଗି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଶିକ୍ଷା ବିଭାଗ ଖାରଜ କରିଦେବା ପରେ ନିକଟସ୍ଥ କୌଣସି ସ୍କୁଲ୍‌ରେ ଅବସ୍ଥାପିତ କରିବା ଲାଗି ସେ ପୁନଃ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ସେହି ସମୟର ଖାଲିସ୍ଥାନ ଉପଲବ୍ଧ ଥିବା ଲାଠିକଟାର ଦେଓକରନ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି। ସେ ନିଜ ଇଚ୍ଛାରେ ପଦୋନ୍ନତିକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇ ନିଯୁକ୍ତି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ଅବମାନନା କରିଛନ୍ତି।

Spread the love