ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ସହ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଦେଶରେ ଆଉ ଏକ ବ୍ୟାଙ୍କ ମିଶ୍ରଣ ହେବାକୁ ଯାଉଛି। ଘରୋଇ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଲିମିଟେଡ ସହିତ ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ଲିମିଟେଡ ମିଶିଯିବ। ନିକଟରେ ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇ ସାରିଥିବାବେଳେ ଏବେ ଏହି ମିଶ୍ରଣ ହେବାକୁ ଯାଉଛି। ମିଶ୍ରଣ ପରେ ନୂଆ ସଂସ୍ଥାର ନାମ ଇଣ୍ଡିଆବୁଲ୍ସ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ରହିବ। ଉଭୟ ବ୍ୟବସାୟ ଏବଂ ଲାଭ ଦୃଷ୍ଟିରୁ ଦେଶର ଘରୋଇ ବ୍ୟାଙ୍କ ମଧ୍ୟରେ ଏହାର ସ୍ଥାନ ଅଷ୍ଟମରେ ରହିବ। ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ପକ୍ଷରୁ ଏନେଇ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି। ନୂଆ ସଂସ୍ଥାର ମୁଖ୍ୟାଳୟ ମୁମ୍ବାଇରେ ରହିବ। ସେୟାର ଅଦଳବଦଳ ମାଧ୍ୟମରେ ଏହି ମିଶ୍ରଣ ହେବ। ସେୟାରଧାରକମାନେ 100ଟି ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସେୟାର ସ୍ଥାନରେ ଇଣ୍ଡିଆ ବୁଲ୍ସ ହାଉସିଂ ଫାଇନାନ୍ସର 14ଟି ସେୟାର ପାଇପାରିବେ। ଗତ ଡିସେମ୍ବର 31 ସୁଦ୍ଧା, ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମୋଟ 569ଟି ଶାଖା ଏବଂ 1046ଟି ଏଟିଏମ ରହିଛି। ଏଗୁଡ଼ିକ ଦେଶର 19ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କରୁଛି। ‌

ସେହିଭଳି ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ଦେଶର 18ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାର ବ୍ୟବସାୟ କରୁଛି। ବ୍ୟାଙ୍କର ଏବେ 5000 କର୍ମଚାରୀ ଥିବାବେଳେ ମିଶ୍ରଣ ପରେ ମୋଟ କର୍ମଚାରୀ ସଂଖ୍ୟା 14302କୁ ବୃଦ୍ଧି ପାଇବ। ବନ୍ଧକ ରଖି ଏହା ବିଭିନ୍ନ ପ୍ରକାର ଋଣ ପ୍ରଦାନ କରୁଛି। ତେବେ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ନିୟାମକ ସଂସ୍ଥା ଗୁଡ଼ିକର ମଞ୍ଜୁରି ଉପରେ ଏହି ମିଶ୍ରଣ ନିର୍ଭରଶୀଳ। ମିଶ୍ରଣ ପରେ ନୂଆ ସଂସ୍ଥା ଦେଶର ଅଧିକ ସ୍ଥାନରେ ସେବା ଯୋଗାଇବାକୁ ସକ୍ଷମ ହେବ। ଇଣ୍ଡିଆବୁଲ୍ସର ଉପସ୍ଥିତି ଦେଶର ଉତ୍ତର ଏବଂ ପଶ୍ଚିମ ଭାରତରେ ଅଧିକ ମାତ୍ରାରେ ଥିବାବେଳେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଅଧିକ ଉପସ୍ଥିତି ଦକ୍ଷିଣ ଭାରତରେ ରହିଛି। 2019 ମାର୍ଚ୍ଚ 31ସୁଦ୍ଧା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମୋଟ ଋଣ ପରିମାଣ 24123 କୋଟି ଟଙ୍କା ଥିବାବେଳେ ଇଣ୍ଡିଆବୁଲ୍ସର ଋଣ ପରିମାଣ 1.24 ଲକ୍ଷ କୋଟି ଟଙ୍କା ରହିଛି। ନୂଆ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦେଶକଭାବେ ଇଣ୍ଡିଆବୁଲ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅଜିତ ମିତ୍ତଲ କାର୍ଯ୍ୟକରିବେ। ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସର ଏମଡି ଗଗନ ବାଙ୍ଗା ଏବଂ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସିଇଓ ପାର୍ଥସାରଥୀ ମୁଖାର୍ଜୀ ଯୁଗ୍ମ ଏମଡି ଭାବେ କାର୍ଯ୍ୟ କରିବେ। ଏହି ମିଶ୍ରଣରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ କର୍ମଚାରୀ ସଂଘ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛି। ସଂଘ ପକ୍ଷରୁ ପରିଚାଳନା କର୍ତୃପକ୍ଷଙ୍କ ସହ ଆଲୋଚନା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Spread the love