ନିଲମ୍ବିତ ହେଲେ ଜେଲ ଡାକ୍ତର; ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର, ୨୦/୯/୨୬: ବ୍ରହ୍ମପୁର ସିଟି ହସ୍ପିଟାଲର ଏଲଟିଆରଏମଓ ତଥା ବ୍ରହ୍ମପୁର ସର୍କଲ ଜେଲରେ ସ୍ୱତନ୍ତ୍ର ମନୋଚିକିତ୍ସକ ଭାବେ ନିୟୋଜିତ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତତ୍କାଳ ପ୍ରଭାବରେ ନିଲମ୍ବିତ କରିଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ କରାଯିବା ପ୍ରସ୍ତାବ ଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଶନିବାର ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶରେ ଡାକ୍ତର ପାଣିଗ୍ରାହୀଙ୍କୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନିଲମ୍ବନ ସମୟରେ ତାଙ୍କ ମୁଖ୍ୟାଳୟ ବ୍ରହ୍ମପୁର ସିଟି ହସ୍ପିଟାଲ ରହିବ। ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ନିୟମ ଅନୁଯାୟୀ ନିଲମ୍ବନ ଅବଧିରେ ତାଙ୍କୁ ଜୀବିକା ଭତ୍ତା ମଧ୍ୟ ପ୍ରଦାନ କରାଯିବ। ଏହି ଘଟଣା ପୂର୍ବରୁ ଜେଲରେ ଡାକ୍ତରଙ୍କ ଭୂମିକା, ଅଭିଯୋଗ ଓ ତାହାକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ପ୍ରକାଶିତ ଖବରରେ ଜେଲ ଡାକ୍ତରଙ୍କୁ ନେଇ ବିଭିନ୍ନ ଅଭିଯୋଗ ଓ ପ୍ରଶ୍ନ ଉଠାଯାଇଥିବା ବେଳେ, ଏହାକୁ ନେଇ ସମ୍ପୃକ୍ତ ମହଲରେ ଆଲୋଚନା ଜୋର ଧରିଥିଲା। ତେବେ ନିଲମ୍ବନ ଆଦେଶପତ୍ରରେ ଡାକ୍ତର ପାଣିଗ୍ରାହୀଙ୍କ ବିରୋଧରେ ରହିଥିବା ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ଶୃଙ୍ଖଳାଗତ ମାମଲାର ବିସ୍ତୃତ କାରଣ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇନାହିଁ। ତେଣୁ ଆଗାମୀ ତଦନ୍ତ ଓ ଶୃଙ୍ଖଳାଗତ ପ୍ରକ୍ରିୟା ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।
