୨୦୦ କୋଟି ଟଙ୍କା ସରକାରୀ ଅଫିସରଙ୍କଠାରୁ ଆଦାୟ କରାଯାଉ : ବିଜେପି

ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଂଟିଥିଲା । କେବଳ ନିର୍ବାଚନୀ ବୈତରଣୀ ପାର ହେବା ଥିଲା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । କାଳିଆ ଯୋଜନାରେ ସ୍ୱଚ୍ଛତା ନାହିଁ ବୋଲି ବିଜେପି ପ୍ରଥମରୁ ଅଭିଯୋଗ କରିଆସିଛି । ଭୋଟରଙ୍କୁ ଲାଂଚ ଦେଇ ଭୋଟ ହାତେଇ ଶାସନ କ୍ଷମତା ଆପଣେଇବା ପାଇଁ ଏହି ଯୋଜନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି  ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଥମେ ୨୦ ଲକ୍ଷ କୃଷକ ପରିଚୟ ପତ୍ର ଥିବା ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା। କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତୁରନ୍ତ ଏହି ତାଲିକାକୁ ୫୧ଲକ୍ଷରେ ପହଂଚାଇଥିଲେ । ଏବେ ୩୬ ଲକ୍ଷ ୮୮ ହଜାର ଚାଷୀ ତାଲିକାରୁ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଏହି ଅର୍ଥକୁ ମିଶାଇଲେ ସମୁଦାୟ ୧୩୩ କୋଟି ହେଉଛି । ସଂପୂର୍ଣ୍ଣ ଚିହ୍ନଟ ପକ୍ରିୟା ସରିବା ବେଳକୁ ଏହା ୨୦୦ କୋଟିରେ ପହଂଚିବ । ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସରମାନଙ୍କ ଠାରୁ ଏବଂ ବିଜେଡି ନେତା ଓ ମନ୍ତ୍ରୀଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

Spread the love