କିସ୍ ରେ ବିରାଟ ଅଭିଭାବକ ସମ୍ମିଳନୀ : ଏକଜୁଟ ହୋଇଛନ୍ତି ୧.୫ ଲକ୍ଷ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ବର କିସ ବିଶ୍ବବିଦ୍ୟାଳୟରେ ଆଜି ଏକାଠି ହୋଇଛନ୍ତି ଲକ୍ଷାଧିକ ଅଭିଭାବକ । ଆୟୋଜିତ ହେଉଛି ବିରାଟ ଅଭିଭାବକ ସମ୍ମିଳନୀ । ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଭିଭାବକରେ ଭରପୂର ହୋଇ ଯାଇଛି। ଗୋଟିଏ ଜାଗାରେ ମିଳିତ ହୋଇଛନ୍ତି ସମସ୍ତେ । ବୋଧହୁଏ ଏଭଳି ବିଶାଳ ଅଭିଭାବକ ସମ୍ମିଳନୀ ଆଉ କେଉଁଠି ଆୟୋଜିତ ହୋଇନଥିବ । ଏଥିପାଇଁ କିସ୍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର। ଏହି ସମ୍ମିଳନୀରେ ସମଗ୍ର ରାଜ୍ୟରୁ ପ୍ରାୟ ଦେଢ଼ ଲକ୍ଷ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଉଛନ୍ତି।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଅଭିଭାବକମାନେ କିସରେ ପହଞ୍ଚିବା ପରେ ସେମାନଙ୍କ ରହିବା ଓ ଖାଇବା ଆଦିର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ଡ.ସାମନ୍ତ କିସ୍ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ବୈଠକ କରି କାର୍ଯ୍ୟକ୍ରମ ଆୟୋଜନ ସ୍ଥଳ ଓ ରୋଷଶାଳ ଆଦି ନିଜେ ସମସ୍ତ ସ୍ଥାନ ବୁଲି ଦେଖିଥିଲେ। ଦିନକ ପୂର୍ବରୁ ୩ରୁ ୪ହଜାର ଅଭିଭାବକ ପ୍ରତିନିଧି ପହଞ୍ଚି ପ୍ରସ୍ତୁତିରେ ସହଯୋଗ କରିବା ସହ ସମସ୍ତ ପ୍ରକାର ବନ୍ଦୋବସ୍ତରେ ସହଯୋଗ କରିଥିଲେ ।

ଏହି ବିରାଟ ଅଭିଭାବକ ସମ୍ମିଳନୀରେ ଓଡିଶାର ୩୦ଜିଲ୍ଲା ତଥା ରାଜ୍ୟ ବାହାରୁ କିସର ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ୬୦ହଜାର ବାପା-ମାଆ, ୨୦ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗ ଦେବେ। ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ଦେଢ଼ ଲକ୍ଷ ଜନଜାତିଙ୍କ ସମାଗମ ହୋଇଛି। ଅଭିଭାବକମାନେ ଯେପରି ସୁରୁଖୁରୁରେ ସେମାନଙ୍କ ପିଲାମାନଙ୍କ ସହ ସାକ୍ଷାତ କରିପାରିବେ ସେ ନେଇ କିସ୍ ପରିସରରେ ଜିଲ୍ଲାୱାରୀ ଷ୍ଟଲମାନ ଖୋଲା ଯାଇଛି। ଆଜି ସକାଳୁ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ। ସେମାନଙ୍କର ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ, ରାତ୍ର ଭୋଜନ, ସଭାରେ ଯୋଗଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସବୁକିଛି କିସ୍ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ଅଭିଭାବକ ସମ୍ମିଳନୀରେ ଜନଜାତି ବାପା-ମାଆମାନଙ୍କୁ ସେମାନଙ୍କ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳୁଛି।

ବିଭିନ୍ନ ଜନଜାତିର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ। କିସ୍ ଏଭଳି ଏକ ଅନୁଷ୍ଠାନ ପ୍ରତି ବର୍ଷ ଏହି ଅଭିଭାବକ ସମ୍ମିଳନୀ ଆୟୋଜନ କରି ପିଲାମାନଙ୍କ ସହ ବାପା ମାଆ ମାନଙ୍କୁ କ୍ୟାମ୍ପସ ପରିସରରେ ଭେଟିବାର ସୁଯୋଗ ଆଣିଦିଏ । ସେମାନେ କ୍ୟାମ୍ପସ ବୁଲି ଦେଖିବା ସହ କିଭଳି ଭାବେ ସେମାନଙ୍କ ପିଲାମାନେ ଏଠାରେ ରହି ପାଠ ପଢୁଛନ୍ତି, କି କି ସୁବିଧା ପାଉଛନ୍ତି ସେ ସମ୍ପର୍କରେ ଅବଗତ ହୁଅନ୍ତି । ଆହୁରି ମଧ୍ୟ ପୂର୍ବତନ ଛାତ୍ର ଛାତ୍ରୀମାନେ ପୁଣିଥରେ ନିଜ ପ୍ରିୟ କ୍ୟାମ୍ପସକୁ ଆସି ଏଠାକାର ଅନୁଭୂତି ବର୍ତ୍ତମାନର ଶିକ୍ଷାର୍ଥୀଙ୍କ ସହ ବାଣ୍ଟିଥାନ୍ତି ।

Spread the love