୬ ଭାଇ ଭଉଣୀଙ୍କ ମୁଣ୍ଡରେ ଆଶୀର୍ବାଦର ହାତ ଦେଲା କିସ୍ ଫାଉଣ୍ଡେସନ୍

ଅସହାୟ ୬ ଭାଇ ଭଉଣୀଙ୍କ ଦାୟିତ୍ୱ ନେଲା କିସ୍‌ ଫାଉଣ୍ଡେସନ୍‌। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ କୁଞ୍ଜାମ ପଞ୍ଚାୟତ ଛାଞ୍ଚୁଣିଆ ଗାଁର ଗେନ୍ତୁନାଳି ସାହିର ଅମୂଲ୍ୟ ଚାମ୍ପିଆଙ୍କ ଗତବର୍ଷ ପର ଲୋକ ହୋଇଥିଲା। ଏହାପରେ ନିଜ ୬ ସନ୍ତାନଙ୍କୁ ନେଇ ମାଆ ସୁବିନି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ୩ ମାସ ତଳେ ସୁବିନିଙ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲା। ଫଳରେ ୬ ଭାଇ ଭଉଣୀ ଅନାଥ ହୋଇଯାଇଛନ୍ତି। ମୋଟ ୭ ଭାଇ ଭଉଣୀ ମଧ୍ୟରୁ ବଡ଼ ଝିଅର ବାହାଘର ହୋଇଯାଇଛି। ବାକି ୬ ପୁଅ ଝିଅ ଏବେ ଚଳିବା ପାଇଁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ଏବେ ଘରେ ଥିବା ଅବିବାହିତା ରଶ୍ମିତା ସମସ୍ତଙ୍କ ମଧ୍ୟରୁ ବଡ଼। ସେ ଗାଁ ଲୋକଙ୍କ ଗାଈ ଛେଳି ଚରେଇ ନିଜ ୫ ଭାଇ ଉଉଣୀଙ୍କ ମୁହଁରେ ଆହାର ଦେଉଛନ୍ତି।
ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ କନ୍ଧମାଳ ସାଂସଦ ତଥା କିସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ତୁରନ୍ତ ନିଜ କର୍ମଚାରୀଙ୍କ ଜରିଆରେ ଉକ୍ତ ଭାଇ ଉଉଣୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ କଥା ବୁଝିଥିଲେ। ବର୍ତ୍ତମାନ ସେମାନଙ୍କ ଚଳିବା ପାଇଁ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାସହ ସେମାନଙ୍କ ପାଠ ପଢା ଓ ଚଳିବା ପାଇଁ ମାସିକ ୧୦ ହଜାର ଟଙ୍କା ଲେଖାଏଁ କିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଡ. ସାମନ୍ତ ଘୋଷଣା କରିଛନ୍ତି। ଏହା ସହ ସେମାନଙ୍କୁ କିସ୍‌ରେ ବିନାଦେୟରେ ପାଠ ପିବା ପାଇଁ ମଧ୍ୟ ଡ. ସାମନ୍ତ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବର୍ତ୍ତମାନ କରୋନା ଯୋଗୁଁ କିସ୍‌ ବନ୍ଦ ଅଛି। କିସ୍‌ ଖୋଲିଲେ ଉପଯୁକ୍ତ ସରକାରୀ ନିୟମ ଅନୁସାରେ ସେମାନଙ୍କ ନାଁ କିସରେ ଲେଖାଯିବ। ଦୁର୍ଦ୍ଦିନରେ କିସ୍‌ ଫାଉଣ୍ଡେସନ ସହାୟତା ଯୋଗାଇ ଦେଇଥିବାରୁ ରଶ୍ମିତା ଏବଂ ତାଙ୍କ ଭାଇ ଭଉଣୀମାନେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ କିସ୍‌ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Spread the love