ମହିଳାଙ୍କ ସୁରକ୍ଷା ପାଇଁ ଡ୍ୟାନ୍ସ ବାର ଲାଇସେନ୍ସକୁ ପ୍ରତ୍ୟାହାର କରାଯାଉ: ବିଜେପି

ରାଜ୍ୟସରକାରଙ୍କ ଅବକାରୀ ବିଭାଗ ଭୁବନେଶ୍ୱରରେ ୭ଟି ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପୂର୍ବରୁ ଅନେକ ଡ୍ୟାନ୍ସବାର ଭିତରେ ବାରଗାର୍ଲମାନଙ୍କ ସହ ଅଶାଳୀନ ବ୍ୟବହାର ଏବଂ ବେଆଇନ କାର୍ଯ୍ୟକଳାପ ପୋଲିସର ନଜରକୁ ଆସିଥିବାରୁ ବାରଡ୍ୟାନ୍ସଗୁଡିକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ପୁଣିଥରେ  ଏହାକୁ ଖୋଲି ଅପରାଧକୁ ପୋତ୍ସାହନ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଓଡିଶା ସଂସ୍କୃତି, ପରଂପରା ଏବଂ ଐତିହ୍ୟରେ କେଉଁଠି ଡ୍ୟାନ୍ସବାରର ପରିକଳ୍ପନା ହୋଇନାହିଁ । ଓଡିଆ ସଂସ୍କୃତିରେ ମହିଳାମାନଙ୍କୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଥାଏ । କିନ୍ତୁ ଏଠି ମହିଳାଙ୍କ ପ୍ରତି ହୀନମାନସିକତା ରଖି ରାଜ୍ୟ ସରକାର ଡ୍ୟାନ୍ସବାର ଖୋଲିବାର ଅନୁମତି ଦେଇଛନ୍ତି । ମହିଳାମାନଙ୍କର ଆର୍ଥୀକ ଦୁରବସ୍ଥାର ଫାଇଦା ନେଇ ବାର ମାଲିକମାନେ ମଦୁଆଙ୍କ ବୋତଲରେ ମଦ ଢାଲିବା ଏବଂ ତାଙ୍କ ସହ ଅଶ୍ଲୀଳ ନୃତ୍ୟ କରିବାକୁ ନିର୍ଦେଶ ଦେଇଥାନ୍ତି । ବାରଗାର୍ଲମାନଙ୍କୁ ମଦୁଆମାନେ ଉପଭୋଗର ବସ୍ତୁ ଭାବି ବ୍ୟବହାର କରିଥାନ୍ତି । ଏହାଦ୍ୱାରା ସମଗ୍ର ମହିଳା ସମାଜ ଆଜି ଅପମାନିତ ଏବଂ ଅସମ୍ମାନିତ ହୋଇଛି । ଡ୍ୟାନ୍ସବାରରେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ହୋଇଥାଏ । ପୂର୍ବରୁ ଡ୍ୟାନ୍ସ ବାରରେ ଅନେକ ଅପରାଧୀ ମଉଜ କରିବାକୁଯାଇ ଯୁବତୀ ଚାଲାଣ, ଡ୍ରଗ୍ସ କାରବାର ଆଦି ବେଆଇନ କାର୍ଯ୍ୟ କରୁଥିବାର ପ୍ରମାଣ ରହିଛି । କେବଳ ଆଇନ କରି କଟକଣା ଲାଗୁ କଲେ ବାରଗାର୍ଲ ସୁରକ୍ଷିତ ରହିପାରିବେ ନାହିଁ । ଏଣୁ ରାଜ୍ୟସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇବା ସହ ମହିଳାଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love