ଆକ୍ରୋଶମୁଳକ ରାଜନୀତି କରୁଛି ବିଜେଡି : ଡ.ଲେଖାଶ୍ରୀ

ଭୁବନେଶ୍ୱର, ତା.୧୮/୦୬: ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରିଦେଇ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଉଇ ଭଳି ଓଡିଶାକୁ ଖାଇଗଲେଣି । ରାଜ୍ୟର ଶାସନ ଡୋରୀ କାହା ହାତରେ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ ଦୁର୍ନୀତିଖୋର ଭାବମୁର୍ତିରୁ ନିଜକୁ ବଂଚାଇବା ପାଇଁ ବର୍ତମାନ ‘ଆକ୍ରୋଶମୁଳକ ରାଜନୀତି’କୁ ମୁଖ୍ୟ ଅସ୍ତ୍ର କରିଛି ବିଜୁ ଜନତା ଦଳ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଯାଜପୁର ଜିଲ୍ଲାର ବରିଷ୍ଠ ନେତା ବିଶିଷ୍ଟ ସୁଚନା ଅଧିକାରୀ କର୍ମୀ ଶ୍ରୀ ସର୍ବେଶ୍ୱର ବେହୁରିଆଙ୍କୁ ଗିରଫ କରିବା ପଛରେ ଦୀର୍ଘ ଦିନର ରାଜନୈତିକ ଓ ପ୍ରଶାସନିକ ଆକ୍ରୋଶ ହେଉଛି ମୁଖ୍ୟ କାରଣ । ସ୍ଥାନୀୟ ତହସିଲଦାର, ଖଣିମାଫିଆ ଓ ସ୍ଥାନୀୟ ବିଧାୟକ ମିଳିମିଶି କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଲୁଟ୍ କରୁଥିବାର ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସର୍ବେଶ୍ୱର ଏବଂ ତାଙ୍କ ପରିବାର ଉପରେ ଲଗାତାର ଆକ୍ରମଣ କରାଯାଉଛି । ମିଛ କେଶ୍ କରି ଜେଲରେ ଭର୍ତି ପାଇଁ ଅପଚେଷ୍ଟା ସହ ବୋମାମାଡ କରି ହତ୍ୟା ପାଇଁ ମଧ୍ୟ ଉଦ୍ୟମ ହୋଇଛି । ସର୍ବେଶ୍ୱରଙ୍କୁ ଗିରଫ କରାଯିବା ଏକ ଯୋଜନାବଦ୍ଧ ଓ ସୁପରିକଳ୍ପିତ ଷଡଯନ୍ତ୍ର ।
ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧିନରେ ରହିଛି ପର୍ଯ୍ୟାପ୍ତ ଖଣିଜ ସଂପଦ । ବିଶେଷ ଭାବେ ରାଜ୍ୟର ସବୁଠୁ ଅଧିକ ମୁଳ୍ୟବାନ କଳାପଥର ଏହି ଅଂଚଳରେ ରହିଛି । ବିଛାଖଣ୍ଡି, ଡଙ୍କାରୀ, ଆରୁହା ପାହାଡରେ ଲକ୍ଷ ଲକ୍ଷ ମେଟ୍ରିକ ଟନ କଳାପଥରକୁ ବିଜେଡି ଦଳର ମନ୍ତ୍ରୀ ଓ ନେତାଙ୍କ ଇଙ୍ଗିତରେ ଲୁଟ୍ କରାଯାଉଛି । ପୂର୍ବତନ ବିଧାୟକ ସ୍ୱର୍ଗତଃ କଳ୍ପତରୁ ଦାସଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ଲୁଟ୍ ପ୍ରକ୍ରିୟା ବର୍ତମାନ ମଧ୍ୟ ଜାରୀ ରହିଛି ଏବଂ ଖଣି ମାଫିଆଙ୍କ ସହାୟତାରେ ବିଜେଡିର ତୁଙ୍ଗ ନେତା, ମନ୍ତ୍ରୀ, ସ୍ଥାନୀୟ ତହସିଲ୍‌ଦାର, ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଅଧିକାରୀମାନେ ମିଳିମିଶି ଲୁଟ୍ କରୁଛନ୍ତି । ଧର୍ମଶାଳା ହସିଲଦାରଙ୍କ ସହାୟତା ଓ ନେତୃତ୍ୱରେ ଚାଲିଥିବା ଯାବତୀୟ ଖଣି ଲୁଟ୍ କୁ ସର୍ବେଶ୍ୱର ବିରୋଧ କରିଆସୁଥିଲେ । ଏଭଳି ଲୁଟ୍‌କୁ ବିରୋଧ କରି ସର୍ବେଶ୍ୱର ଗତ ୨୦୧୦ ମସିହାରୁ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ବିଭିନ୍ନ ଫୋରମରେ ଅଭିଯୋଗ କରିବା ସହିତ ହାଇକୋର୍ଟ, ସୁପ୍ରିମକୋର୍ଟ ଓ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଖଣି ଲୁଟ୍ ରେ ତତ୍କାଲୀନ ଜିଲ୍ଲାପାଳ ରଂଜନ କୁମାର ଦାସ, ୩ ଜଣ ତହସିଲଦାରଙ୍କ ସମେତ ୧୦ ଜଣ ଖଣି ମାଫିଆଙ୍କ ସଂପୃକ୍ତ ଥିବା କାରଣରୁ ଲୋକାୟୁକ୍ତ ନୋଟିସ ମଧ୍ୟ ଜାରୀ କରିଛନ୍ତି । ସର୍ବେଶ୍ୱରଙ୍କ ନିରନ୍ତର ଉଦ୍ୟମ କାରଣରୁ ଡଙ୍କାରୀ ଓ ବିଛାଖଣ୍ଡିରେ ବେଆଇନ ଖଣି ଖନନ ବନ୍ଦ ହୋଇଛି । ବିଛାଖଣ୍ଡି ପାହାଡ ଖଣି ଲୁଟର ତଦନ୍ତ ଲୋକାୟୁକ୍ତ କରୁଥିବାବେଳେ ଆରୁହା ଖଣି ଲୁଟର ତଦନ୍ତ କ୍ରାଇମବ୍ରାଂଚ କରୁଛି ।
ଧର୍ମଶାଳା ବିଧାୟକ ନିଜ ଭାଇ ପ୍ରତାପ ବଳବନ୍ତରାୟଙ୍କ ନିଜ ଇଟାଭାଟିକୁ ବେଆଇଭାବେ ୨ଲକ୍ଷ ୫୨ ହଜାର ୨୮୦ ଟଙ୍କା ଖର୍ଚ୍ଚ କରି ଜଂଗଲ ଜମି ରାସ୍ତା ଉପରେ ତିଆରି କରିଥିବାରୁ ସର୍ବେଶ୍ୱର ଏହାକୁ ନେଇ ଲୋକାୟକ୍ତଙ୍କ କୋର୍ଟରେ କେସ କରିଛନ୍ତି । ଏବେ ଏହାର ତଦନ୍ତ ଚାଳିଛି ଏହି ଭଳି ଧର୍ମଶାଳ ବ୍ଲକର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ରାସନକାର୍ଡ କେଳାଙ୍କାରୀ, ବୃହତ ପାନୀୟ ଜଳ ପ୍ରକଳ୍ପ ଦୁିର୍ନୀତି ସଂପର୍କରେ ସେ ବିଭିନ୍ନ ଫୋରମରେ ମାମଲା ଦାଏର କରିବାରୁ ତାହାର ତଦନ୍ତ ଚାଲିଛି । ଏବେ ନିକଟରେ ଳୁଣିକର କଳାପଥର ଖାଦନରେ ବେଆଇନ ଖଣି ଉତୋଳନ ବେଳେ ଦର୍ଘଟଣା ଘଟି ୨ଜଣ ଶ୍ରମିକ ମୃତ୍ୟୁକୁ ନେଇ ସର୍ବେଶ୍ୱର ଧର୍ମଶାଳା ତହସିଲଦାରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବା ସହିତ ଲୋକାୟୁକ୍ତଙ୍କ କୋର୍ଟରେ କେସ ଦାୟର କରିଥିବାରୁ ଏଥିରେ ପ୍ରଚଣ୍ଡ ମାତ୍ରାରେ ଉତକ୍ଷିପ୍ତ ହୋଇ ଖଣି ମାଫିଆ, ଶାସକ ଦଳ ନେତା ଓ ସ୍ଥାନୀୟ ପ୍ରଶାସନ ଷଡଯନ୍ତ୍ର କରି ସର୍ବେଶ୍ୱରଙ୍କ ସ୍ୱରକୁ ଚାପି ଦେବା ପାଇଁ ମିଥ୍ୟା ମାମଲାରେ ତାଙ୍କୁ ଜେଲ ପଠାଇଛନ୍ତି, ଯାହାକି ସଂପୂର୍ଣ୍ଣ ଭାବେ ଏକ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ସର୍ବେଶ୍ୱରଙ୍କ ଉପରେ ଲଗାଯାଇଥିବା ମିଛ କେସକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ଖଲାସ କରାଯାଉ । ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସଂପୃକ୍ତ ଥିବା ବିଜୁ ଜନତା ଦଳ ପ୍ରତିଶୋଧ ପରାୟଣ ଓ ଆକ୍ରୋଶମୁଳକ ରାଜନୀତିରୁ ଅବ୍ୟାହତ ରୁହନ୍ତୁ । ନଚେତ୍ ଶାସକ ବିଜେଡିର ଦୁର୍ନୀତିଗସ୍ତ ନେତା ଓ ମନ୍ତ୍ରୀଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ଦିଆଯିବ ନାହିଁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ଯାଜପୁର ଜିଲ୍ଲା ସଭାପତି ଶ୍ରୀ ଗୈାତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love