ଛତିଶଗଡ଼ରେ ପ୍ରବଳ ବର୍ଷା, ଫୁଲିବାରେ ଲାଗିଛି ମହାନଦୀ

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି | ଆଉ ଏହାରି ପ୍ରଭାବରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି | ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫.୫୨ ଫୁଟ ଥିବାବେଳେ ବର୍ତ୍ତମାନ ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି | ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୭୭ ହଜାର ୨୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬୮ ହଜାର ୯୧୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ମହାନଦୀକୁ ପାଣି ମାଡିଆସୁଛି | ଆଉ ଏସବୁକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ହୀରାକୁଦର ଆଉ କିଛି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି | ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଯେଉଁ ଗେଟ ଖୋଲିବ ତାହାର ପାଣି ଖଇରମାଳରେ ପହଞ୍ଚିବାକୁ ୧୨ ଘଣ୍ଟା ସମୟ ଲାଗିବ | ସେତେବେଳକୁ ତଳମୁଣ୍ଡରୁ ଜଳସ୍ତର କମିଯାଇଥିବ | ବାସ୍ତବରେ ପାଣିପାଗ ବିଭାଗ ମୁତାବକ ଗତକାଲି ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି | ମହାନଦୀ ଉପରମୁଣ୍ଡରେ ୨୬ ରୁ ୩୭ ସେମି ବର୍ଷା ହୋଇଥିବାରୁ ମହାନଦୀରେ ଏବେ ପାଣି ବଢିଛି |

Spread the love