କୋଭିଡକୁ ମାତ ଦେଲେ ଶତାୟୁ ଦମ୍ପତ୍ତି, ୯ ଦିନ ଆଇସିୟୁରେ ରହିବା ପରେ ହେଲେ ସୁସ୍ଥ

ମହାରାଷ୍ଟ୍ରର ଲାଟୁରରେ କରୋନା ବିରୋଧରେ ଲଢି ଶତାୟୁ ଦମ୍ପତ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରେ ଗୁରୁତର ହୋଇପଡିବାରୁ ସେମାନଙ୍କୁ ୯ ଦିନ ହସ୍ପିଟାଲ ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ)ରେ କଟାଇବାକୁ ପଡିଛି। ତେବେ ସେମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଦମ୍ପତ୍ତି ହେଉଛନ୍ତି ଲାଟୁର କାଟଗଁ ଟାଣ୍ଡାର ୧୦୫ ବର୍ଷ ବୟଷ୍କ ମୋଟାବାଇ ଚୌହାନ ଓ ତାଙ୍କର ୯୫ ବର୍ଷ ବୟସ୍କା ପତ୍ନୀ ଧେନୁ ଚୌହାନ।

ଗତ ମାର୍ଚ୍ଚ ୨୪ ତାରିଖରେ ଯୌଥ ପରିବାରର ୫ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଯେଉଁମାନଙ୍କ ଙ୍କ ମଧ୍ୟରେ ଶତାୟୁ ମୋଟାବାଇ ଓ ତାଙ୍କ ପତ୍ନୀଙ୍କ ସମେତ ୩ ଜଣ ଶିଶୁ  ମଧ୍ୟ ଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ନ କରିବାକୁ ଗାଁ ଲୋକେ  ପରାମର୍ଶ ଦେଇଥିଲେ। ହସ୍ପିଟାଲରେ ଆଡମିଟ୍ ହେଉଥିବା କେହି ଜଣେ ହେଲେ ସୁସ୍ଥ ହୋଇ ଘରକୁ ଫେରୁନଥିବାରୁ ସେମାନଙ୍କୁ ଡାକ୍ତରଖାନା ନ ନେବାକୁ କହିଥିଲେ।

ମୋଟାବାଇ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ଦେହରେ ଉତ୍ତାପ ମଧ୍ୟ ଥିଲା। ଏଣୁ ପୁଅ ସୁରେଶ ତାଙ୍କ ମାତାପିତାଙ୍କୁ ହସ୍ପିଟାଲକୁ  ନେଇଯାଇଥିଲେ। ଏଥିରେ ଧେନୁ ଏପ୍ରିଲ ୫ ତାରିଖରେ ସୁସ୍ଥ ହୋଇ ହସ୍ପିଟାଲରୁ ଡିଶ୍ଚାର୍ଯ ହୋଇଥିବା ବେଳେ୨ ଦିନ ପରେ ତାଙ୍କ ସ୍ୱାମୀ ମୋଟାବାଇ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସେମାନଙ୍କୁ ହସ୍ପିଟାଲରେ ଦାଖଲ କରିବାର ନିଷ୍ପତି ଉଚିତ ଥିଲା ବୋଲି ଏବେ ସୁରେଶ ଅନୁଭବ କରୁଛନ୍ତି।

ହେଲେ ସେମାନଙ୍କୁ ଡାକ୍ତରଖାନାରେ ଆଡମିଟ କରିବା ବେଳେ ସୁରେଶ ବାସ୍ତବିକ ଭୟଭୀତ ଥିଲେ।  ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରିଥିବା ଡାକ୍ତର ହରକାଞ୍ଚେ ସଠିକ ସମୟରେ ସେମାନଙ୍କର ପରୀକ୍ଷଣ କରାଯିବା ଓ ଉଚିତ ସମୟରେ ହସ୍ପିଟାଲକୁ ଅଣାଯାଇଥିବାରୁ ସେମାନଙ୍କ ପ୍ରାଣ ରକ୍ଷା ହୋଇପାରିଥିବା କହିଛନ୍ତି। ଏଣୁ ଅନ୍ୟମାନେ ମଧ୍ୟ ଏହି ଦମ୍ପତ୍ତିଙ୍କୁ ଅନୁସରଣ କରନ୍ତୁ ବୋଲି ଡାକ୍ତର କହିଛନ୍ତି।  ସାମାନ୍ୟ ଲକ୍ଷଣ ଅନୁଭବ କରିବା ମାତ୍ରେ ପରୀକ୍ଷଣ କରାଇ ନେଲେ ପରବର୍ତ୍ତି ଡାକ୍ତରୀ ଚିକିତ୍ସାରେ ସମସ୍ତେ ସୁସ୍ଥ ହୋଇପାରିବେ ବୋଲିସେ କହିଛନ୍ତି।

Spread the love