ଗୁରୁଦିବସ ଅବସରରେ ଚିତ୍ରଶିଳ୍ପୀ ସମରେନ୍ଦ୍ରଙ୍କ ନିଆରା କଳାକୃତି
ବେତନଟୀ ସଦର: ଗୁରୁଶିଷ୍ୟର ପରମ୍ପରା ଅତ୍ୟନ୍ତ ନିଆରା। ଗୁରୁ ବିନା ଶିଷ୍ୟର ଭବିଷ୍ୟତ ଅନ୍ଧକାର। ତେଣୁ ପ୍ରତ୍ୟେକ ବ୍ୟକ୍ତି ଗୁରୁଙ୍କ ଆଶୀର୍ବାଦରୁ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥାନ୍ତି। ରାତି ପାହିଲେ ଦେଶବ୍ୟାପି ଗାଁରୁ ସହର ଯାଏଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳନ କରାଯିବ। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ତାଙ୍କର ଆଦର୍ଶରେ ଛାତ୍ରସମାଜ ଅନୁପ୍ରାଣୀତ ହେବାକୁ ପ୍ରତ୍ୟେକ ବର୍ଷ ଏହିଦିନକୁ ମନେପକାଯାଇଥାଏ। ଆମ ଦେଶ ଯୁଗେ ଯୁଗେ ଆଦର୍ଶ ଗୁରୁ-ଶିଷ୍ୟ ପରମ୍ପରାର ଅଜସ୍ର ଉଦାହରଣ ସୃଷ୍ଟି କରିଛି। ବେତନଟୀ ବ୍ଲକ ଆଗଡା ଅଞ୍ଚଳର ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ଗୁରୁଦିବସ ଅବସରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ନିଆରା କଳାକୃତି କରିଛନ୍ତି।
ଗୁରୁ ଦିବସଟିରେ ନିଜର ପ୍ରିୟ ଗୁରୁଙ୍କୁ କିଏ କେଉଁଭଳି ସ୍ମୃତିଚାରଣ କରି ସମ୍ବର୍ଦ୍ଧନା ଦିଗରେ ନିଜସ୍ୱ କୌଶଳ ବାଛୁଥିବା ବେଳେ ବେତନଟୀ ବ୍ଲକ ଆଗଡା ଅଞ୍ଚଳର ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା(ସିତୁ) ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଉଦେଶ୍ୟରେ ଶାଗୁଆନ ଗଛର ପତ୍ରରେ ବିନା ରଙ୍ଗ ତୂଳୀରେ କେବଳ ଏକ କଟର ବ୍ୟବହାର କରି ଆଙ୍କିଛନ୍ତି । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଚିତ୍ର ଓ ଭକ୍ତିପୂତ ଶ୍ରଦ୍ଧା, ସମ୍ମାନର ସହ ଗୁରୁପୂଜା କରିଛନ୍ତି। ତାଙ୍କର ଏହି ନିଆରା କଳାକୃତିକୁ ସେ ତାଙ୍କର ଗୁରୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି କହିଛନ୍ତି। ସମରେନ୍ଦ୍ରଙ୍କ ଏଭଳି ନିଆରା ପ୍ରୟାସ ଓ ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି।