ଧାର ଧାର ହୋଇ ନିମ୍ବ ଗଛରୁ ଝରୁଛି କ୍ଷୀର, ଭଗବାନଙ୍କ ଆର୍ବିଭାବ ନେଇ ଲୋକଙ୍କ ବିଶ୍ୱାସ

ନିମ୍ବ ଗଛରୁ ବାହାରୁଛି ଧାର ଧାର କ୍ଷୀର । କଣ ଆଶ୍ଚର୍ଯ୍ୟ ଲାଗୁଛି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ନିମ୍ବ ଦାରୁରେ ମହାପ୍ରଭୁଙ୍କ ପ୍ରତିମା ତିଆରି କରାଯାଏ । ଏଇ ବିଶ୍ୱାସ ନେଇ ଲୋକଙ୍କ ମନରେ ଭରିଯାଇଛି ଅସୀମ ଭକ୍ତି ଭାବନା । ଗାଁ ମୁଣ୍ଡରେ ଥିବା ଏହି ନିମ୍ବ ଗଛରୁ ହଠାତ ଏପରି କ୍ଷୀର ବାହାରିବାକୁ ନେଇ ଲୋକଙ୍କ ମନରେ ନିମ୍ବ ଗଛରେ ଭଗବାନ ଆର୍ବିଭାବ ହୋଇପାରନ୍ତି ବୋଲି ବିଶ୍ୱାସ କରିଛନ୍ତି । ଶ୍ରାବଣ ମାସ ସୋମବାରରେ ହୁଏତ ମହାଦେବ ଆର୍ବିଭାବ ହୋଇପାରନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଏନେଇ ଲୋକମାନେ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି ।

ଏଭଳି ଭକ୍ତିମୟ ପରିବେଶ ବଲାଙ୍ଗିର ଜିଲ୍ଲା ମାୟାବର୍ହା ଗାଁ ରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମାୟାବର୍ହା ଗାଁ ର କୁଶ ମେହେର ସକାଳୁ ନିଜ କ୍ଷେତକୁ ଯାଇଥିବା ବେଳେ ଖେତଆଡିରେ ଥିବା ନିମ୍ବ ଗଛରେ ଧାରଧାର ଧଳା ତରଳ ପଦାର୍ଥ ଝରୁଥିବାର ଦେଖିବାକୁ ପାଇଥିଲେ । ସେହି ଧଳା ପଦାର୍ଥ କଣ ଜାଣିବା ପାଇଁ ଏହାକୁ ଚାଖିଥିଲେ ପରେ ଏହା କ୍ଷୀର ପରି ଲାଗିଥିଲା । ପରେ ଗାଁ କୁ ଯାଇ ନିମ୍ବ ଗଛରୁ କ୍ଷୀର ବାହାରୁଥିବା କଥା ସେ ସମସ୍ତଙ୍କୁ ଜଣାଇଥିଲେ । ଖବର ଧିରେ ଧିରେ ସାରା ଗାଁରେ ବ୍ୟାପିଗଲା ପରେ ନିମ୍ବ ଗଛତଳେ ଲୋକଙ୍କ ଭିଡ ଜମିବା ସହିତ ଶ୍ରାବଣ ମାସ ସୋମବାର ହୋଇ ଥିବାରୁ କିଛିଲୋକ ପୂଜାର୍ଚନା କରିବାକୁ ଲାଗିଥିଲେ ।

ଲୋକଙ୍କ ବିଶ୍ୱାସ ଏହା ଭଗବାନ ଶିବଙ୍କ ଆବିର୍ଭାବ ହୋଇ ପାରେ କିମ୍ବା ଯେହେତୁ ନିମ୍ବ ଦାରୁରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ତିଆରି ହୁଏ ଏଣୁ ପ୍ରଭୁ ଜଗନ୍ନାଥଙ୍କ ଆବିର୍ଭାବ ହୋଇଥାଇପାରେ ବୋଲି ଆଶା ରଖି ପୂଜାର୍ଚନା କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁ ଲୋକ ଭକ୍ତିର ସହ ମୁଣ୍ଡିଆ ମାରି ନିମ୍ବ ଗଛକୁ ପୂଜା କରୁଛନ୍ତି । ନିମ୍ବ ଗଛ ତଳେ ଫୁଲ ସିନ୍ଦୁର ଚନ୍ଦନ ଧୂପ ଦେଇ ପୂଜା କରୁଛନ୍ତି ଗାଁ ଲୋକେ । ନିମ୍ବ ଗଛର ଚାରି ପାଖରେ ବାଉଁଶ ଦେଇ ଏହାକୁ ସ୍ୱତନ୍ତ୍ର କରାଯାଇଛି ।

ଭଗବାନଙ୍କ ଲୀଳା ବଡ଼ ବିଚିତ୍ର । ଏହି ନିମ୍ବ ଗଛରୁ ହଠାତ୍‌ ଏପରି କ୍ଷୀର ବାହାରୁଥିବାରୁ ଲୋକମାନେ ଭଗବାନଙ୍କ ଅବିର୍ଭାବ ନେଇ ବିଶ୍ୱାସ ରଖିଛନ୍ତି । ସେହିପରି ଏହି କ୍ଷୀର ବାହାରୁଥିବାର ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ମଧ୍ୟ ଜଣାପଡ଼ିଛି ।

Spread the love