ମୋ ବସ୍‌ କ୍ୟାପ୍‌ଟେନ୍‌ ଓ ଗାଇଡ଼୍‌ଙ୍କ ଦକ୍ଷତା ପ୍ରଶିକ୍ଷଣ କର୍ମଶାଳା

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ), କ୍ୟାପିଟାଲ ରିଜନ ଅର୍‌ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ଏବଂ
ଟାଟା କମୁ୍ୟନିଟି ଟ୍ରଷ୍ଟ(ଟିସିଆଇଟି)ଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱର ସହରର ମୋ ବସ୍‌ର କ୍ୟାପ୍‌ଟେନ୍‌ ଏବଂ ବସ୍‌
ଗାଇଡ଼ଙ୍କୁ ରୂପାନ୍ତର କରିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଯାତ୍ରା ଆରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୬୦୦ କ୍ୟାପ୍‌ଟେନ୍‌(ଡ୍ରାଇଭର) ଏବଂ ବସ୍‌ ଗାଇଡ୍‌(କଣ୍ଡକଫର) ସଂପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା ସଂଗତ ପ୍ରଶିକ୍ଷଣ ଲାଭ କରିବେ ଯାହାକୁ ଟାଟା କମୁ୍ୟନିଟି ଇନିସିଏଟିଭ୍‌ ଟ୍ରଷ୍ଟ ଡିଜାଇନ୍‌ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମୋ ବସ୍‌ କ୍ୟାପ୍‌ଟେନ୍‌ ଏବଂ ଗାଇଡ଼୍‌ମାନଙ୍କୁ ଭୁବନେଶ୍ୱର ସହରର ରାଜଦୂତ ରୂପେ ରୂପାନ୍ତର କରି ସ୍ଥାନୀୟ ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଏକ ଆନନ୍ଦମୟ ଅନୁଭୂତି ପ୍ରଦାନ କରିବା । ଓଡ଼ିଶା ସରକାର ଯାତ୍ରୀ ପରିବହନ ସେବାରେ ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିବାକୁ ଯାଉଛନ୍ତି ଯେଉଁଠାରେ କ୍ୟାପ୍‌ଟେନ୍‌
ଏବଂ ଗାଇଡ଼୍‌ମାନେ ସହରର ଗାଇଡ଼୍‌ ଭାବେ କାର୍ଯ୍ୟ ନିର୍ବାହ କରି ଯାତ୍ରୀମାନଙ୍କ ଯାତ୍ରାକୁ ସ୍ମରଣୀୟ କରିପାରିବେ ।
ଏହି ପରିପ୍ରେକ୍ଷୀରେ ମୋ ବସ୍‌ର ୫୦ ଜଣ କ୍ୟାପ୍‌ଟେନ୍‌ ଏବଂ ଗାଇଡ଼୍‌ଙ୍କୁ ନେଇ ସ୍ଥାନୀୟ ଭିଏସ୍‌ଏସ୍‌ ନଗରସ୍ଥିତ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ସଂସ୍ଥାଠାରେ ପ୍ରଥମ ଥର ପାଇଁ ଏକ କର୍ମଶାଳାର ଶୁଭାରମ୍ଭ କରାଯାଇଛି । ଏହି କର୍ମଶାଳାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ତଥା ଆୟୁକ୍ତ ସଂଜୟ କୁମାର ସିଂ, ସିଇଓ, ଓଏସ୍‌ଡ଼ିଏ, ରାଜେଶ ପ୍ରଭାକର ପାଟିଲ, ଏମ୍‌ଡ଼ି, କ୍ରୁଟ୍‌, ଡଃ କ୍ରୀଷନ୍‌ କୁମାର ଏବଂ ଟାଟା ଷ୍ଟ୍ରାଇଭ୍‌ର ସିଇଓ, ଅନୀତା
ରାଜନ ଉପସ୍ଥିତ ଥିଲେ । ଏହି ଅବସରରେ ଓଏସ୍‌ଡ଼ିଏର ଅଧ୍ୟକ୍ଷ ଶ୍ରୀ ବାଗ୍‌ଚୀ ଓଡ଼ିଶା ଦକ୍ଷତା ବିକାଶ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ମୋ ବସ୍‌ର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଏକ ଅନନ୍ୟ କାର୍ଯ୍ୟକ୍ରମ ଯାହା ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଓଡ଼ିଶାରେ ଆରମ୍ଭ କରାଯାଇଛି । ଏହା ନିଶ୍ଚିତ ରୂପେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ଦିନ ଆସିବ ଅନ୍ୟମାନେ ମଧ୍ୟ ଏହି ମଡେ୍‌ଲକୁ ଆପଣେଇବେ ବୋଲି ସେ ସୂଚନା ଦେଇଛନ୍ତି ।
ସେହିପରି ଆୟୁକ୍ତ ତଥା ସଚିବ ଶ୍ରୀ ସିଂ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ବିଷୟରେ ଆଲୋକପାତ କରିବା ସହ ଏହା ଅନ୍ୟାନ୍ୟ ନାଗରିକ ସେବା ପ୍ରଦାନ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା ପୋଷଣ କରିଥିଲେ । ଓଏସ୍‌ଡ଼ିଏ ସହାୟତାରେ କ୍ୟାପ୍‌ଟେନ୍‌ ଓ ଗାଇଡ଼୍‌ମାନେ ପ୍ରଶିକ୍ଷଣ ପାଇ କେବଳ ସ୍ଥାନୀୟ ଯାତ୍ରୀ ନୁହେଁ ବରଂ ପର୍ଯ୍ୟଟକମାନଙ୍କୁ ମଧ୍ୟ ଏକ ସୁଖଦ ଯାତ୍ରା ପ୍ରଦାନ କରିବାରେ ସହାୟକ ହେବେ ବୋଲି ଏମ୍‌ଡ଼ି, କ୍ରୁଟ୍‌ ଡଃ କୁମାର କହିଥିଲେ ।
କାର୍ଯ୍ୟକ୍ରମକୁ ଶେଷରେ ସିଇଓ, ଓଏସ୍‌ଡ଼ିଏ ଶ୍ରୀ ପାଟିଲ ଧନ୍ୟବାଦ ଅର୍ପଣ କରିଥିଲେ । 

 

Spread the love