ଏନ୍‌ଏଲ୍‌ୟୁଓରେ ଆରମ୍ଭ ହେବ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ

କଟକ  : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା (ଏନ୍‌ଏଲ୍‌ୟୁଓ) ପକ୍ଷରୁ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ ପାଠ୍ୟକ୍ରମ ୨୦୨୨-୨୩ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି। ଏହି ପାଠ୍ୟକ୍ରମକୁ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ର ନିୟମ ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିସହ ‘ନିଯୁକ୍ତି ନିମନ୍ତେ ପ୍ରସ୍ତୁତ’ ପାଠ୍ୟକ୍ରମ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ବିଏ ବିଶେଷଜ୍ଞତା ପାଠ୍ୟକ୍ରମରେ ୫ଟି ଷ୍ଟ୍ରିମ୍‌ ଯଥା ଲିଗାଲ କାଉନସେଲିଂ, ଲିଗାଲ ଜର୍ନାଲିଜିମ୍‌, ଆଡଭୋକେସି, ଲିଗାଲ ପ୍ରଫେଶନ ଆସିଷ୍ଟାଣ୍ଟସ୍‌ ଆଣ୍ଡ ଲ’ ଏବଂ ଏଣ୍ଟରପ୍ରେନ୍ୟୁରଶିପ୍‌ ରହିବ। ଏହି ପାଠ୍ୟକ୍ରମକୁ ରାଷ୍ଟ୍ରୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ (ଏନ୍‌ଏସ୍‌କ୍ୟୁଏଫ୍‌)ର ମାନଦଣ୍ଡ ଅନୁସାରେ ଡିଜାଇନ କରାଯାଇଛି। ଏହି ବିଏ ଡିଗ୍ରୀ ପ୍ରୋଗ୍ରାମକୁ ଭୁବନେଶ୍ୱରସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ୱାର୍କ ଆଣ୍ଡ ସୋସିଆଲ ସାଇନ୍ସ ଏବଂ କଟକସ୍ଥିତ ଶ୍ରୀ ଶ୍ରୀ ୟୁନିଭର୍ସିଟି ମିଳିତ ସହଯୋଗରେ ପଢାଯିବ। ପାଠ୍ୟକ୍ରମ ନିମନ୍ତେ ମୋଟ ୫୦ ସିଟ୍‌ ରହିବ। ସରକାରୀ ଗାଇଡ୍‌ଲାଇନ ଅନୁସାରେ ସିଟ୍‌ ସଂରକ୍ଷଣ ରଖାଯିବ। ଏହି ପାଠ୍ୟକ୍ରମରେ ପ୍ରବେଶ ନିମନ୍ତେ କୌଣସି ବୟସ ସୀମା ରଖାଯାଇ ନାହିଁ ଏବଂ ଏହା ନିୟମିତ ବ୍ୟବସ୍ଥା ଅନୁସାରେ ଚାଲିବ। ବିଭିନ୍ନ ବିଷୟରେ ପଢାଇବା ପାଇଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଆମନ୍ତ୍ରିତ କରାଯିବ। ଏ ସମ୍ପର୍କିତ ସମସ୍ତ ବିବରଣୀ ଏନ୍‌ଏଲ୍‌ୟୁଓର ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

Spread the love