ଆଜି ଦେଶବ୍ୟାପୀ ଦୋକାନ ବଜାର ବନ୍ଦ

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଦିନିକିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ଗୁଡ଼ିକ ବନ୍ଦ ରହିବ। ବ୍ୟବସାୟୀମାନେ ଦିନସାରା ଉପବାସ ରହିବା ସହିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶୋଭାଯାତ୍ରା ମାନ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି।

ସୂଚନା ଅନୁସାରେ, ଓଡ଼ିଶାରେ ମଧ୍ୟ ଦୋକାନବଜାର ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଏଥିରେ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡ଼ିକୁ ବାଦ୍ ଦିଆଯାଇଛି। ସଂଧ୍ୟା ୬ଟାରେ ଭୁବନେଶ୍ବରସ୍ଥିତ ଓଡ଼ିଶା ବ୍ୟବସାୟୀ ମହାସଂଘର କାର୍ଯ୍ୟାଳୟରୁ ଏକ ମହମବତି ଶୋଭାଯାତ୍ରା ବାହାରି ରାଜଭବନସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯିବା ସହିତ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏହି ମହମବତି ଶୋଭାଯାତ୍ରା କରାଯିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ଏଥିଯୋଗୁ ରାଜ୍ୟରେ ପ୍ରାୟ 20 ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଅତିକମ୍‌ରେ 1000 କୋଟି ଟଙ୍କାର କାରବାର ରାଜ୍ୟରେ ଠପ୍ ହୋଇଯିବ ବୋଲି ସେ ମତ ଦେଇଛନ୍ତି।

Spread the love