ଟିଭିରେ ରଥଯାତ୍ରା ଦେଖିଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର: ଆଜି ପବିତ୍ର ଘୋଷଯାତ୍ରା । ବଡ଼ଦାଣ୍ଡରେ ମାଉସୀ ମା ମନ୍ଦିର ଅଭିମୁଖେ ଗଡ଼ୁଛି ତିନି ରଥ । କଟକଣା ଓ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ ଟାଣିଛନ୍ତି । ତେବେ ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ପ୍ରଣାମ କରିଥିବା ଦେଖିବାକୁ ମିଳିଛି ।

ଏହାସହ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି, ‘ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି । ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି । ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ। ସବୁ ତାଙ୍କରି ଇଚ୍ଛା।’

ସୂଚନାଯୋଗ୍ୟ, ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଗ୍ରୀନ୍‌ ସିଗନାଲ ଦେବା ପରେ ଆଜି ପୁରୀରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । ସେବାୟତ ଓ ପୋଲିସ କର୍ମୀଙ୍କ ସହୟତାରେ ରଥଟଣା ହୋଇଛି । ବିନା ଭକ୍ତରେ କାଳିଆ ନିଜ ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରୁଛନ୍ତି । କୋଟି କୋଟି ଶ୍ରଦ୍ଧାଳୁ ଟିଭି ମାଧ୍ୟମରେ ରଥଯାତ୍ରା ଦେଖୁଛନ୍ତି ।

Spread the love