ମୂର୍ତ୍ତି ବିସର୍ଜନ ହେଲା କାଳ, ଚିଲିକାରେ ବୁଡି ଜଣେ ମୃତ, ତିନି ଉଦ୍ଧାର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ନିକଟ ଚିଲିକାରେ ଅଘଟଣ ଘଟିଛି। ରାମ ମୂର୍ତ୍ତି  ବିସର୍ଜନ କରୁଥିବା ବେଳେ ଚିଲିକାରେ ବୁଡି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ ଓଡିଆ ଆଲପୁର ଗ୍ରାମର ବିଭୁତି ତରେଇ|

ସୂଚନା ମୁତାବକ ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ତେବେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବୁଧବାର କିଛି ଯୁବକ ଡଙ୍ଗା ସାହାଯ୍ୟରେ ଚିଲିକା ଭିତରକୁ ଯାଇଥିଲେ। ହଠାତ୍ ଗଭୀର ପାଣି ଭିତରକୁ ଚାରିଜଣ ଖସି ପଡିଥିଲେ।  ପରେ ପାଖରେ ଥିବା ଡଙ୍ଗା ସାହାଯ୍ୟରେ  ଗ୍ରାମବାସୀ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ। ଉଦ୍ଧାର ତିନି ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲ ଭର୍ତ୍ତି କରାଯାଇଛି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଅଗ୍ନିଶମ ବାହିନୀ ଓ ପଥରା ଗ୍ରାମର ଯୁବ ଗୋଷ୍ଠୀ ମିଳିତ ଭାବେ ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ  ନିଖୋଜ ଥିବା ଯୁବକୁ ଉଦ୍ଧାର  କରିଥିଲେ । ପରେ ଅଗ୍ନିଶମ ବାହିନୀ ଗାଡ଼ି ଯୋଗେ ଯୁବକଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଯୁବକଙ୍କ ମୃତ ଘୋଷଣା କରିଥିଲେ।

Spread the love