ଓଏସଏସସି ଅଫିସ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ଅଫିସ ସମ୍ମୁଖରେ ବିକ୍ଷୋଭ । ଛାତ୍ର କଂଗ୍ରେସ ଓ ଚାକିରି ଆଶାୟୀଙ୍କ ପକ୍ଷରୁ ଓଏସଏସସି ଅଫିସ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । ବିଭାଗରେ ଦୁର୍ନୀତି ପାଇଁ ଉପଯୁକ୍ତ ପରୀକ୍ଷାର୍ଥୀ ଚାକିରି ପାଇବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରି ଏହି ବିକ୍ଷୋଭ କରାଯାଇଛି । ଓଏସଏସସିର ତୃତୀୟ ଶ୍ରେଣୀ କର୍ମଚାରୀ ବିରଞ୍ଚିନାରାୟଣ ସାହୁଙ୍କ ଘରୁ କୋଟିକୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ପାଇ ତାଙ୍କୁ ଗିରଫ କରିବା ପରେ ଏହି ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିବା କଥା ସାମ୍ନାକୁ ଆସିଛି । ତେଣୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିରଞ୍ଚିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଭାଗରେ ଲୁଚି ରହିଥିବା ଅନ୍ୟ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବାକୁ ଦାବି ହେଉଛି ।

ବିରୋଧ ସମୟରେ ବହୁ ଆଶାୟୀ କହିଛନ୍ତି, ମେରିଟ ଲିଷ୍ଟରେ ନାମ ଉଠାଇବାକୁ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ମଗାଯାଇଥିଲା । କିଛି ମଧ୍ୟ ଜମି ବାଡି ବିକି ଟଙ୍କା ଦେବାକୁ ରାଜି ଥିଲେ । ଅନ୍ୟ ପଟେ କେବଳ ବିରଞ୍ଚି ନୁହଁନ୍ତି, ଏମିତି ଅନେକ କର୍ମଚାରୀ ବିଭ।।ଗରେ ରହିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଦରକାର । ତେବେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ନୁହେଁ, ଏହାର ତଦନ୍ତ ସିବିଆଇ ବା ନ୍ୟାୟପାଳିକା ଦ୍ୱାରା କରାଇବାକୁ ଦାବି ହୋଇଛି ।

Spread the love