ମେଟ୍ରୋ ଷ୍ଟେସନ କାନ୍ଥରେ ଦେଶବିରୋଧୀ ସ୍ଲୋଗାନ ଲେଖିବା ପାଇଁ ମିଳିଥିଲା ୪ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଜି-୨୦ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହେବ। ଏହାପୂର୍ବରୁ ବେଆଇନ ଘୋଷିତ ଶିଖ୍‌ ସଂଗଠନର ପ୍ରତିନିଧିମାନେ ଦିଲ୍ଲୀ ମେଟ୍ରୋ ଷ୍ଟେସନର କାନ୍ଥକୁ ବିକୃତ କରିଥିବା ଘଟଣା ସାମ୍ନାକୁ ଆସିଛି।ଅନେକ ମେଟ୍ରୋ ଷ୍ଟେସନ କାନ୍ଥରେ ‘ଦିଲ୍ଲୀ ବନେଗା ଖଲିସ୍ତାନ’ ଏବଂ ‘ଖଲିସ୍ତାନୀ ରେଫରେଣ୍ଡମ୍ ଜିନ୍ଦାବାଦ’ ଭଳି ସ୍ଳୋଗାନମାନ ଲେଖାଯାଇଛି। ପଞ୍ଜାବୀ ବାଗ୍‌, ଶିବାଜୀ ପାର୍କ ମାଦିପୁର, ପଶ୍ଚିମ ବିହାର, ଉଦ୍ୟୋଗ ନଗର ଏବଂ ମହାରାଜା ସୁରଜମଲ ଭଳି ଷ୍ଟାଡିୟମରେ ଏସବୁ ଲେଖା ଦେଖିବାକୁ ମିଳିଛି।

ଦେଶବିରୋଧୀ ନାରା ଲେଖିଥିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ପଞ୍ଜାବରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ପ୍ରୀତପାଲ ଓ ରାଜବିନ୍ଦର ସିଂହ ବୋଲି ଜଣାପଡ଼ିଛି। ଏଦୁହେଁ ପଞ୍ଜାବର ଫରିଦକୋଟରେ ବସବାସ କରନ୍ତି। ଦୁହିଁଙ୍କୁ ଦେଶବିରୋଧୀ ସ୍ଲୋଗାନ ଲେଖିବା ପାଇଁ ଶିଖ୍ ଫର୍‌ ଜଷ୍ଟିସ୍‌ର ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ୪ଲକ୍ଷ ଟଙ୍କା ଦେଇଥିଲା।

ପ୍ରୀତପାଲ ସିଂହ ପଞ୍ଜାବର ସ୍ଥାନୀୟ ଏକ ଫ୍ୟାକ୍ଟ୍ରିରେ କାମ କରେ। ଯିଏକି ସୋସିଆଲ ମିଡିଆ ଜରିଆରେ  ଶିଖ୍ ଫର୍‌ ଜଷ୍ଟିସ୍‌ର ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ସହିତ ସମ୍ପର୍କରେ ଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଶିଖ୍ ଫର୍‌ ଜଷ୍ଟିସ୍‌ର ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ  ଏହି ଘଟଣା ଘଟାଇବା ପାଇଁ ପ୍ରୀତପାଲ ଓ ରାଜବିନ୍ଦର ସିଂହଙ୍କୁ ୭ହଜାର ଡଲାର ଦେବା ପାଇଁ ଦାବି କରିଥିଲା। କିନ୍ତୁ ସେ କେବଳ ୩୫୦୦ ଡଲାର ଦେଇଥିଲା। ଏହା ବ୍ୟତୀତ ଏକଲକ୍ଷ ଟଙ୍କା ସେ ପୂର୍ବରୁ ବି ପ୍ରୀତିପାଲକୁ ପଠାଇ ଦେଇଥିଲା। ଯେତେବେଳେ ପ୍ରୀତିପାଲ ଘରେ କେହି ଜଣେ ସଦସ୍ୟ ଅସୁସ୍ଥ ଥିଲେ।

Spread the love