ଆଜି ଲଘୁଚାପ

ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, କଟକ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ୩୦ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୩୦ ଓ ୩୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ସେପ୍ଟେମ୍ବର ୧ରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ସେପ୍ଟେମ୍ବର ୨ ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ ଭୀଷଣ ବର୍ଷା ଲାଗିରହିବ। ଗୁରୁବାର ସୃଷ୍ଟି ହେବାକୁ ଥିବା ଲଘୁଚାପ ତୁଳନାରେ ଏହାର ପ୍ରଭାବ ଅଧିକ ରହିବ। ୨ରୁ ୫ ତାରିଖ ମଧ୍ୟରେ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ‌ତେଣୁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Spread the love