ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ବିଧାୟକ କଲେ ରୋଗୀ ଚିକିତ୍ସା

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ରୋଗୀଙ୍କ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କାରଣରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତକାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା। ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ଜାଣିବା ପରେ ଆଜି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡିରେ ବସି ରୋଗୀ ଚିକିତ୍ସା କରିଥିଲେ। କିଛି ଡାକ୍ତର ଛୁଟିରେ। ଯିଏ ଥିଲେ ସେ ୩ ଦିନ ଧରି ଦିନରାତି ଜରୁରୀ ଚିକିତ୍ସା ସହ ରୋଗୀ ଦେଖି ଥକି ଯାଇଥିବାରୁ ଆଉ ରୋଗୀ ଦେଖିବେ ନାହିଁ ବୋଲି ଫେରାଇଦେଲେ। ଯେଉଁଥିପାଇଁ ଗତକାଲିଠାରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିଲା ଅଚଳାବସ୍ଥା। ପ୍ରାୟ ୨ ଶହ ରୋଗୀ ଡାକ୍ତରଖାନାକୁ ଫେରି ଯାଇଥିଲେ। ଆଜି ସକାଳୁ ରୋଗୀମାନେ ପୁଣି ଡାକ୍ତରଖାନାରେ ଭିଡ଼ ଜମାଇଥିଲେ ବି ଡାକ୍ତର ନଥିବାରୁ ନିରାଶ ହୋଇଥିଲେ। ଶେଷକୁ ଖବର ପାଇ ବିଧାୟକ ଡ. ରାଜନ ଏକ୍କା ଡାକ୍ତରଖାନାରେ ପହଞ୍ଚି ଆଉଟଡୋରରେ ରୋଗୀ ଦେଖିଲେ। ସକାଳ ୮ଟାରୁ ଡାକ୍ତର ଏକ୍କା ଜଣ ଜଣ କରି ପ୍ରାୟ ଶହେ ରୋଗୀଙ୍କୁ ଦେଖି ଚିକିତ୍ସା ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି। ଡାକ୍ତର ନଥିବାରୁ ନିଜେ ଜଣେ ଡାକ୍ତର ହୋଇଥିବା ବିଧାୟକ ରୋଗୀ ଦେଖିବା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାକ୍ରମେ, ରାଜଗାଙ୍ଗପୁର ଡାକ୍ତରଖାନାରେ ୧୪ଟି ଡାକ୍ତର ପଦ ଥିବାବେଳେ ୯ ଜଣ ନିଯୁକ୍ତ ହୋଇଛନ୍ତି। ୫ ଜଣ ନିୟମିତ ଓ ୪ ଜଣ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ନିଯୁକ୍ତ। କିନ୍ତୁ ଗତ ୧୯ ତାରିଖରୁ ଡାକ୍ତରଖାନା ଅଧୀକ୍ଷକ ଡ. ଜଗଦୀଶ ଟପ୍ପୋଙ୍କ ସହ ଡ. ଅବିନାଶ ପ୍ରଧାନ, ଡ. ରଶ୍ମୀକାନ୍ତ ଦାଶ, ଡ.ବିଜୟଶଙ୍କର ବେହେରା ଛୁଟିରେ ଚାଲି ଯାଇଥିବାବେଳେ ଜଣେ ନିୟମିତ ଡାକ୍ତର ମହେନ୍ଦ୍ର ତନ୍ତୀ ଦିନରାତି ଜରୁରୀ ସେବା ସହ ରୋଗୀ ଦେଖୁଥିଲେ। ଅନ୍ୟପଟେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ନିଯୁକ୍ତ ଡାକ୍ତର ଏସ.କେ. ପଟେଲ, ଡ. ଉମେଶଚନ୍ଦ୍ର ଗୁରୁ, ଡ.ସନ୍ତୋଷ ଅଗ୍ରୱାଲ, ଡ. ମୁରାରୀ ଦେହୁରୀ ପୂର୍ବାହ୍ନ ୧୦ଟାରୁ ୧୨ଟା ଯାଏ ରୋଗୀ ଦେଖି ଚାଲି ଯାଉଥିବା ଅଭିଯୋଗ ରହିଛି। ଏସ୍ଥିତିରେ ଗତକାଲିଠାରୁ ଡାକ୍ତରଖାନା ଏକ ପ୍ରକାର ଡାକ୍ତରଶୂନ୍ୟ ହୋଇପଡିଥିଲା। ଶତାଧିକ ରୋଗୀ ଗତକାଲି ଖାଲି ଖାଲି ଫେରି ଯାଇଥିବାବେଳେ ଆଜି ସକାଳୁ ମଧ୍ୟ ସେହି ସମାନ ସ୍ଥିତି ରହିଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ରାଜଗାଙ୍ଗପୁର ବିଧାୟକ ଡ. ଏକ୍କାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଡ. ଏକ୍କା ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ରୋଗୀ ଦେଖିଲେ।

Spread the love